ପ୍ରବୀଣ କୁମାର କବି
ଏଇ କିଛି ବର୍ଷ ହେଲା
ଗାଢ୍ ରୁ ଆହୁରି ଗାଢ୍ ହେଲାଣି
ମାଟିର ମଉନପଣ
କ୍ଷେତର କ୍ଷତ,
ସ୍ଵେଦର ସ୍ଵାଦ
ଆଉ ଚାଷୀର ଫମ୍ପା ଉଦର !
ଆହୁରି ନିର୍ଯ୍ୟାତିତ – ନିଷ୍ପେସିତ
ହେଲାଣି ତା ସ୍ବପ୍ନ,
ତା ସ୍ୱର,
ତା ସିଦ୍ଧି ଓ ସମୟ ।
ଏଇ କିଛି ବର୍ଷ ହେଲା
ତା ପାଇଁ ମିଛ ଏଠି
ଆଲୋକର ରଙ୍ଗ,
ଜହ୍ନରାତିର ସ୍ଵାଦ,
ଫୁଲର ମହକ
ସତ ଖାଲି ସତ ଯାହା
ହାଣ୍ କାଟ୍,
ରକ୍ତପାତ,
ଭୋକ
ଆଉ ଭୟର ବଳୟ ।
ତଥାପି ବି ନିଘା ନାହିଁ କାହାର !
ସବୁ ଏଠି ବ୍ୟସ୍ତ
ଗଢ଼ିବାକୁ ରାମରାଜ୍ୟ,
ନିଜ ନିଜ ସ୍ୱପ୍ନର ସହର।
କେହିବି ଜାଣିବାକୁ ଚାହେଁନା
କୋଉଠୁ ଆସୁଛି ଏ ପ୍ରାଣ
ଏ ମାଟି ପାଣି ପବନ ଆହାର,
କାହିଁକି ଏଠି ନିତି ଲୋଡ଼ାପଡେ
କିରୋସିନ୍ , ରସି , ନଈ ଓ ଜହର।
କେହିବି ଜାଣିବାକୁ ଚାହେଁନା
କାହାର ଏ ଶବ୍ଦ !
ଭୋକର, ଶୋଷର ଅବା ନିରବତାର,
ମାଂସର, ହାଡ଼ର ଅବା ପାଳଭୂତର।
କେହିବି ଜାଣନ୍ତିନି
କୋଉଠୁ ଝରୁଛି ଏ ଅଶ୍ରୁ !
କ୍ଷେତରୁ ଖାତରୁ ନା ଅନ୍ତରିକ୍ଷରୁ,
କୋଉଠୁ ଆସୁଛି ଏ ଗନ୍ଧ
ନଡାରୁ,
ନାଡରୁ,
ନା ନାଭିଗୟାରୁ ।
ହଁ, କେହିବି ଜାଣିବାକୁ ଚାହାଁନ୍ତିନି
କେମିତି ଜଣେ ନିସଙ୍ଗ ଖରାବେଳେ
ମାଟିରେ ଲହୁ ଢ଼ାଳି, ହାଡ଼ ମାଂସ ପୋତେ
ମାଈ ସଞ୍ଜରେ ଘରକୁ ଫେରି
ଲୁହ ଚିପୁଡି ପିଏ, ପିଆଏ ,
ନଡ଼ିଆ ବାହୁଙ୍ଗା ଫାଙ୍କରେ ଜହ୍ନ ଦେଖେ,
ଆଉ, ଆକାଶକୁ ମୁହଁ କରି ଶୋଇଯାଏ ଆଲୁଅ ନିଶାରେ !
ସକାଳ ହେଲେ କିନ୍ତୁ ସେଠି କାଣିଚାଏ ଆଲୁଅ ନଥାଏ
ଥାଏ ଛଳଭର୍ତ୍ତି ଅଖଣ୍ଡ ଅନ୍ଧାର
ରସି ଧରି ଠିଆଥାଏ ମହାଜନ,
ବ୍ୟାଙ୍କ୍ ବାବୁ ଯାଚୁଥାଏ ରେଶମୀ ଜହର !
ତଥାପି ବି ରାଜା ଏଠି
ପ୍ରଜାଙ୍କର ସୁଖ ପାଇଁ ମନ୍ଦିର ଗଢ଼ନ୍ତି,
ପୂଜା ଆଉ ନୈବେଦ୍ୟ ବାଢ଼ନ୍ତି,
ଫୁଲ ଆଉ ଫଳ ବି ଚଢ଼ାନ୍ତି।
ହେଲେ ସେ କଣ୍ ସତରେ ଜାଣନ୍ତି
କୋଉଠୁ ଆସେ ଏ ଫୁଲ ଏ ଫଳ,
ବଗିଚାରୁ ନା ବିଲାତରୁ !!!!
Comments are closed.