Latest Odisha News

BREAKING NEWS

ବିଜେଡି ଗଡ଼ରେ ଅମିତ ଶାହ କରିବେ ବିଶାଳ ସଭା, ବଦଳିବ କି ଜିଲ୍ଲା ରାଜନୀତିର ସମୀକରଣ?

ଭୁବନେଶ୍ୱର: ଗତବର୍ଷ ଯେଉଁ ସ୍ଥାନରେ ଉପନିର୍ବାଚନ ଜିତି ବିଜେପି ଗଡ଼ ବଜାୟି ରଖିଲା ସେହି ସ୍ଥାନକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଶନିବାର ଏହି ସୂଚନା ଦେଇଛନ୍ତି।

ଆଗକୁ ସାଧାରଣ ନିର୍ବାଚନ ରହିଛି। ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ ଯେଉଁସବୁ ଲୋକସଭା ଆସନରେ ଦଳ ଜିତିବାର ସମ୍ଭାବନା ରହିଛି ତାକୁ ଚିହ୍ନଟ କରି ବିଜୟର ବାଟ ଫିଟାଇବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ତେଣୁ ଶାହଙ୍କ ଭଦ୍ରକ ଧାମନଗର ଗସ୍ତ ପଛରେ ଏହି ରଣନୀତି ରହିଛି ବୋଲି କୁହାଯାଉଛି।

ଭଦ୍ରକ ଲୋକସଭା ଏବେ ବିଜେଡି ହାତରେ ଥିବା ବେଳେ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ଟି ବିଜେଡି ନିଜ ଦଖଲରେ ରଖିଛି।

ବିଜେଡି ସାରା ରାଜ୍ୟରେ ମଜବୁତ ଥିବା ବେଳେ ଧାମନଗର ଉପନିର୍ବାଚନରେ ବିଜେପି ପୁଣିଥରେ ଏହି ଆସନରେ ଉପନିର୍ବାଚନ ଜିତିବା ଦଳକୁ ବଳ ଯୋଗାଇଛି। ଆଉ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ବଢୁଥିବା ଲୋକପ୍ରିୟତା ଓ ବିଧାନସଭା ପ୍ରଶ୍ନକାଳରେ ତାଙ୍କର ପ୍ରଶ୍ନକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପିଠି ଥାପୁଡାଇଥିଲେ।

ତେଣୁ ବିଜେପି ସୁରଜଙ୍କୁ ଚେହେରା କରି ଏବଂ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଜିଲ୍ଲାରେ କୋଚ ଭାବେ ବ୍ୟବହାର କରି ବିଜେପି ଏଠାରେ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରିଥିବା ସୂଚନା ରହିଛି।

ଅନ୍ଯପଟେ ବିଜେଡି ମଧ୍ୟ ଜିଲ୍ଲାରେ ସକ୍ରିୟ ରହିଛି। ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଚେହେରା କରି ବିଜେଡି ଏଠାରେ ଧାମନଗର ଉପନିର୍ବାଚନ ଫଳାଫଳର ତ୍ରୁଟି ସୁଧାରି ଆଗକୁ ଆହୁରି ମଜବୁତ ହେବ ବୋଲି ଯୋଜନା କରିଛି। ତେଣୁ ଯେଉଁ କାରଣ ପାଇଁ ଧାମନଗରରେ ଭୋଟ୍ ବ୍ୟାଙ୍କ ହରାଇଥିଲା ଦଳ ତାକୁ ଚିହ୍ନଟ କରି ଏବେ ନିଲମ୍ବିତ ନେତା ରାଜୁ ଦାସଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରିଛି। ନିକଟରେ ରାଜୁ ଦାସ ଏକ ଟିଭି ଚ୍ୟାନେଲକୁ ସାକ୍ଷାତାକାର ଦେଇ ବିଜେଡିରେ ସାମିଲ ହେବାକୁ ଅଫର ରହିଛି ବୋଲି କହିଥିଲେ।

ସାରା ରାଜ୍ୟରେ ବିଜେଡି ଯେତେବେଳେ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି ସେହି ଆଧାରରେ ଏବେ ଗ୍ୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଚାଉଳ ପ୍ରସଙ୍ଗ ଆଦି ଲୋକଙ୍କ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିବାକୁ ଯୋଜନା କରିଛି ବିଜେଡି।

ଅମିତ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଗୃହମନ୍ତ୍ରୀ ପ୍ରଥମେ ଆଖଣ୍ଡଳମଣିଙ୍କ ଦର୍ଶନ କରିବେ। ପରେ ଭଦ୍ରକ ଜିଲ୍ଲା ଧାମନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ କର୍ମୀ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି। ଲେଖାଶ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଶାହ ଭୁବନେଶ୍ୱରରେ ଦଳର ବରିଷ୍ଠ ନେତା ଓ ଅନ୍ୟ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ।

ଓଡ଼ିଶାର ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ଅମିତ ଶାହ ରାଜ୍ୟକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ଏବଂ ଆମକୁ ଆଗରୁ ନେତୃତ୍ୱ ଦେଉଛନ୍ତି। ତାଙ୍କର ଏହି ଗସ୍ତ ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିବା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ନୂଆ ଶକ୍ତି ଭରିଦେବ ବୋଲି ଲେଖାଶ୍ରୀ କହିଛନ୍ତି।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ ଶାହଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି। ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି, ରାଜ୍ୟରେ ସେମାନେ ଉଠାଇଥିବା ପ୍ରସଙ୍ଗକୁ କେନ୍ଦ୍ରୀୟ ନେତାଙ୍କ ଆଗରେ ଉପସ୍ଥାପନ କରାଯାଉନାହିଁ। କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଯଦି ବିଜେଡି ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଛି ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଉଚିତ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Comments are closed.