Latest Odisha News

BREAKING NEWS

ଗଞ୍ଜେଇ ଚାଲାଣର ନୂଆ ଉପାୟ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ଅବକାରୀ ଟିମ୍

ବ୍ରହ୍ମପୁର: ୨୫ କେଜି ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁୟାୟୀ, ଚୋରା ଚାଲାଣକାରୀମାନେ ଏକ ଏଲପିଜି ସିଲିଣ୍ଡର ଭିତରେ ଏହି ଗଞ୍ଜେଇକୁ ପ୍ୟାକିଂ କରି ଅଭିନବ ଉପାୟରେ ଚାଲାଣ କରୁଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀମାନେ କଳିଙ୍ଗ ଘାଟି ନିକଟରେ ଗାଡ଼ିକୁ ଅଟକାଇ ଚୋରା ଚାଲାଣକାରୀଙ୍କୁ କାବୁ କରିଥିଲେ। ଗାଡିକୁ ଯାଞ୍ଚ କରିବା ପରେ ପୋଲିସର ନଜରରୁ ବର୍ତ୍ତିବା ପାଇଁ ଅଭିନବ ଉପାୟରେ ଗ୍ୟାସ ସିଲିଣ୍ଡର ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ।

ଜୟନ୍ତ ବେହେରା ନାମକ ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ସେମାନେ ବହୁ ଦିନରୁ ଏଭଳି ଅଭିନୟ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗ୍ୟାସ୍ କଟରରେ ଗ୍ୟାସ୍ ସିଲିଣ୍ଡରକୁ ମଝିରୁ ଖୋଲି ପରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରାଯାଏ ବୋଲି ଅଭିଯୁକ୍ତ ଜୟନ୍ତ ବେହେରା କହିଛନ୍ତି।

ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅବକାରୀ ଅଧିକାରୀମାନେ ଚୋରା ଚାଲାଣ ରାକେଟର ମାଷ୍ଟର ମାଇଣ୍ଡକୁ ଖୋଜିବାକୁ ତଦନ୍ତ କରୁଥିବା ସୂଚନା ରହଛି।

Leave A Reply

Your email address will not be published.