Latest Odisha News

BREAKING NEWS

୧୦ ବର୍ଷରେ ଓଡିଶାରେ କେତୋଟି ମାମଲାରେ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ କ୍ରାଇମବ୍ରାଞ୍ଚର ତଦନ୍ତ କାର୍ଯ୍ୟକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୨୬୧ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮୮ ଟି ମାମଲାର ଅଭିଯୋଗ ଦାଖଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସୋମବାର ଗୃହରେ ମୟୂରଭଂଜ ଜିଲ୍ଲା ଯଶୀପୁର ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ କରିଥିଲେ। ଉତ୍ତରେ ମନ୍ତ୍ରୀ କହିଛନ୍ତି ଯେ ୧୦ ବର୍ଷ ଭିତରେ ୧୧ଟି ମାମଲା କୋର୍ଟରେ ଫଇସଲା ହୋଇଥିବା ବେଳେ ସେଥିମଧ୍ୟରୁ ୧୦ ମାମଲା ଦୋଷସିଦ୍ଧ ହୋଇଛି।

ସେହିପରି ଅପରାଧିଙ୍କ ଠାରୁ ସତ ଓଗାରିବା ପାଇଁ କରାଯାଉଥିବା ବିଭିନ୍ନ ଟେଷ୍ଟ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଠାରେ ପଲିଗ୍ରାଫ୍‌ ଟେଷ୍ଟ  ପାଇଁ ସୁବିଧା ରହିଛି। ହେଲେ ନାର୍କୋ ଆନାଲିସସ୍‌ ଟେଷ୍ଟ କରିବା ନିମନ୍ତେ ରାଜ୍ୟରେ କୌଣସି ସୁବିଧା ନାହିଁ। ଏଥିପାଇଁ ମାନ୍ୟବର ଅଦାଲତଙ୍କ ଅନୁମତିକ୍ରମେ ଅନ୍ୟାନ୍ୟ ରାଜ୍ୟ କିମ୍ବା କେନ୍ଦ୍ରୀୟ ବିଜ୍ଞାନାଗାର ଠାରେ ଏହି ନାର୍କେ ଆନାଲିସସ୍‌ ଟେଷ୍ଟ କରାଯାଉଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

ସୂଚନା ଥାଉକି, ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ସୋମବାର ଗୃହରେ କ୍ରାଇମ ବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟରେ ଗତ ୧୦ ବର୍ଷରେ କ୍ରାଇମ୍‌ବ୍ରାଞ୍ଚ କେଉଁସବୁ ଘଟଣାର ତଦନ୍ତ କରିଛି ? କେତେ ପରିମାଣରେ ଦୋଷୀ ଧରିବା, କୋର୍ଟରେ ଉପଯୁକ୍ତ ପ୍ରମାଣ ଦେଇ ଦୋଷୀକୁ ‌ଦଣ୍ଡିତ କରିବା ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ କେଶ୍‌ର ସଫଳତା ପାଇଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ଏଥିସହିତ ଓଡ଼ିଶାରେ ନାର୍କୋ ଟେଷ୍ଟ ପଲିଗ୍ରାଫ୍‌ ଟେଷ୍ଟର ସୁବିଧା ଅଛି କି? ଯଦି ହଁ ତେବେ ଏଭଳି ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଅନ୍ୟ ରାଜ୍ୟ ଉପରେ ନିର୍ଭର କରେ କାହିଁକି? ଜଣେ ମାନସିକ ରୋଗୀର ନାର୍କୋ ପଲିଗ୍ରାଫ୍‌ ଟେଷ୍ଟ ଓ ଧାରା ୧୬୦ରେ ବୟାନ ରେକର୍ଡ କରାଯିବାର ନିୟମ ଅଛି କି ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

Comments are closed.