ସ୍ମୃତି ରଞ୍ଜନ ତ୍ରିପାଠୀ
ଏଇ ଏଇନା ଖଳି ହେଉଛନ୍ତି
ବସନ୍ତର କାମଳ ରୋଗୀ ସବୁ,
ଏଇ ଏଇନା ବକ୍ତା ସବୁ ଆକାଶ ମୁହାଁ
ପୁଣି ଗଢ଼ିବାକୁ, ଶିହରିବାକୁ ଫଗୁଣକୁ
ତା’କୁ ଆହୁରି ଗେହ୍ଲେଇ ନାଚିବାକୁ
ଆଉଥରେ ବଇଦ ସାଜିବାକୁ।।
ବାଃରେ ଶୀତ
ସବୁ କମ୍ବଳର ସ୍ୱେଦ ତୁ ନେଲୁ
ମୋ ପାଇଁ ଛାଡ଼ିଦେଲୁ
ଅଳ୍ପାୟୁଷ କ୍ଷତ
ତୋ’ ରେଶମି ସ୍ନେହ ବିନା
ମୁଁ ଝାଡି ପାରେନି ମୋ ଫାଙ୍କା ଉତ୍ତରୀୟ
ତୁ ବେଶ୍ ଜାଣୁ,
ଏଇ ସାତେ ସାତେ କଢାହୋଇଛି ଉତ୍ସବ ।
ଅପେକ୍ଷା କର!
ପୁଣି ନାଲି ମାଟି ହୋଇ
ମୁଁ ବି ତୋ’ପରି ଉଖରୁଥିବି
ଆଉ ଗୋଟେ ମିଛ ପ୍ରଣୟର ଅପେକ୍ଷାରେ,
ହେ ମାୟା ଫଗୁଣ!
ଟିକେ ଚେତେଇଦେ
ମାଟିର ମଣିଷ ମାଟିରେ ମିଶିଗଲା ପରେ
ଖାଲି ମାଟି ସରାରେ ସାଉଣ୍ଟା ଯାଏ ଅସ୍ଥି।।
ବରଷି ଯାଓ ଏବେ
ମିଥ୍ୟା ସଂସ୍କାର ଆଉ ମାୟା ଫଗୁଣର
ବିରତି ବାଣ୍ଟିବାକୁ
ହେ, ଏଇ ସାତେ ସାତେ
ବଣ୍ଟା ହେଇଚି ଉତ୍ସବ।
ଆସ!
ଆଉ ଗୋଟେ ମାୟା ଶବ୍ଦକୁ
ଆକାଶବାଣୀରେ କୁରୁଳେଇବା,
ତମ କେଇଟା ଛଡ଼ା
ବିଲାପୁଥିବ
ଗୋଟେ ସ୍ପନ୍ଦନ ବିହୀନ ବୁକୁ
ତୁମ ଲୋଭର କାତି ଛାଡ଼ିଗଲା ପରେ
ଆଉ ଗୋଟେ ଅଦୃଶ୍ୟ ପଥଶ୍ରାଦ୍ଧକୁ।।
ଯା! ଦେଖିବ
ଅନାୟାସରେ କାନ୍ଦୁଚି ଲୋମଛଡ଼ା କପୋତ
ଯିଏ ଅନେକ ଦିନରୁ କ୍ଷତ
ଆଉ ଅପେକ୍ଷାରେ
କୋଉଦିନ ପବନ କୁ ପିଠି କରି
ଉଦ୍ଗାରୁଥିବ ଗୋଟେ କଳଙ୍କିତ ଅତୀତ।
ଏଇ ସାତେ ସାତେ
ଉତାରିଦେଇଚି ସେ ଉତ୍ସବ।।
ଜଟଣୀ
ଖୋର୍ଦ୍ଧା
Comments are closed.