Latest Odisha News

ସାଟେଲାଇଟ୍ କରୁଛି ଆକାଶକୁ ଉଜ୍ୱଳ

କୁହାଯାଉଛି ଯେ, ଆକାଶ ଏବେ ପୂର୍ବ ଅପେକ୍ଷା ଅଧିକ ଉଜ୍ୱଳ ଦେଖାଯାଉଛି । ଏହାର କାରଣ ଜାଣିବା ପାଇଁ ଅନେକ ପରୀକ୍ଷା ନିରୀକ୍ଷା ପରେ ତଥ୍ୟ ସାମ୍ନାକୁ ଆସିଛି । ଗବେଷକମାନେ ମତ ରଖିଛନ୍ତି ଯେ, ଏହା ମୁଖ୍ୟ କାରଣ ହେଉଛି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ । ଛୋଟ ଛୋଟ ତାରା ଯେଭଳି ଅନ୍ଧକାର ରାତିରେ ଆକାଶର ଶୋଭାକୁ ବହୁଗୁଣିତ କରିଥାନ୍ତି, ସେଭଳି ପୃଥିବୀ କକ୍ଷପଥରେ ଘୂରିବୁଲୁଥିବା ବହୁସଂଖ୍ୟାରେ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ ଏବଂ ଆକାଶରେ ଭାସି ବୁଲୁଥିବା ବିଭିନ୍ନ ମହାକାଶ ଯାନର ବର୍ଜ୍ୟବସ୍ତୁ ହିଁ ହେଉଛି ଆକାଶ ଉଜ୍ୱଳ ଦେଖାଯିବାର ମୁଖ୍ୟ କାରଣ ବୋଲି ୟୁନିଭର୍ସିଟି ଅଫ୍ ସାଉଦର୍ନ କୁଇନ୍ସଲାଣ୍ଡର ଗବେଷକ ଜେସିକା କହିଛନ୍ତି ।

ଗବେଷକମାନେ ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ଏତେ ସଂଖ୍ୟକ କୃତ୍ରିମ ଉପଗ୍ରହ ପୃଥିବୀର କକ୍ଷପଥରେ ଘୂରି ବୁଲୁଥିବାରୁ ପୂର୍ବଭଳି ରାତି ଆକାଶରେ ତାରା, ଛାୟାପଥ ଏବଂ ବିଭିନ୍ନ ଗ୍ରହଗୁଡ଼ିକ ଆଉ ଦେଖାଯାଉ ନାହାନ୍ତି । ପୃଥିବୀ ପୃଷ୍ଠରେ ମନୁଷ୍ୟକୃତ ଆଲୋକ ପ୍ରଦୂଷଣ ଦ୍ୱାରା ରାତି ଆକାଶରେ ପରିବର୍ତ୍ତନ ଘଟି ନ ଥିବା ସେ କହିଛନ୍ତି । ୨୦୧୯ ପରଠାରୁ କକ୍ଷପଥରେ ସାଟେଲାଇଟ୍ ସଂଖ୍ୟା ଦୁଇଗୁଣା ହୋଇଛି । ଏହି ସାଟେଲାଇଟ୍‌ରୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ସୁଲଭ ହୋଇପାରୁଛି । ଏହି କୃତ୍ରିମ ଉପଗ୍ରହ କାରଣରୁ ରାତିରେ ଆକାଶ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଦେଖାଯାଉଛି । ୨୦୩୦ ବେଳକୁ ରାତି ଆକାଶ ଆହୁରି ଆଲୋକିତ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି ।

Comments are closed.