Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ଯାଜପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଜାନକୀ ବିଶ୍ୱାଳ ଆଜୀବନ ସଶ୍ରମ କାରାଦଣ୍ଡ (୨୦ ବର୍ଷ)ରେ ଦଣ୍ଡିତ କରିଛନ୍ତି।

ଅକ୍ଟୋବର ୩୧, ୨୦୧୯ରେ ନାବାଳିକା ଜଣଙ୍କ ଘରୁ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ଯାଉଥିବା ବେଳେ ପ୍ରଥମେ ଅପହରଣ ପରେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଅଭିଯୁକ୍ତଙ୍କ ଘର ନାବାଳିକାଙ୍କ ଘର ଓ ତାଙ୍କ ସ୍କୁଲ ମଝିରେ। ନାବାଳିକ ଜଣଙ୍କ ସ୍କୁଲ ଏକାକୀ ଯାଉଥିବା ଦେଖି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନାବାଳିକାକୁ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲା। ଏପରିକି ଘଟଣା ସମ୍ପର୍କରେ ଜଣାଇଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପୀଡ଼ିତାଙ୍କୁ ଧମକ ମଧ୍ୟ ଦେଇଥିଲା ପୂର୍ଣ୍ଣଚନ୍ଦ୍ର।

ଅଭିଯୁକ୍ତଙ୍କ କବଳରୁ ଖସି ଆସି ଘରକୁ ଫେରିବା ପରେ ନାବାଳିକା ଜଣକ ନିଜ ବାପାଙ୍କୁ ସବୁକଥା କହିଥିଲେ। ଏହି ଅଭାବନୀୟ ଘଟଣା ପରେ ସେ ମାନିସିକ ସହିତ ଶାରୀରିକ ଭାବେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତେବେ ପରଦିନ ସକାଳେ ପୀଡ଼ିତାଙ୍କ ବାପା ସ୍ଥାନୀୟ ଥାନାରେ ଏକ ଏଫ୍ଆଇଆର ଦେଇଥିଲେ।

ପରେ ଏହି ଘଟଣାରେ ପୋଲିସ ତଦନ୍ତ କରିଥିଲା। ୨୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପୂର୍ଣ୍ଣଚନ୍ଦ୍ରଙ୍କୁ ଆଜୀବନ ସଶ୍ରମ କାରଦଣ୍ଡ ପ୍ରଦାନ କରାୟାଇଥିଲା। ଏଥିସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ରାଶି ନଦେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସରକାରୀ ଓକିଲ ରାଜୀବ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.