ଗ୍ୱାଲିଅର: ମାଲିକ ଦେଲା ନାହିଁ ଟିକସ ଆଉ ଦଣ୍ଡ ପାଇଲା ନିରୀହ ପଶୁ । ମାଲିକ ଉପରେ ବକେୟା ଥିବା ଜଳକର ଆଦାୟ କରିବାକୁ ନୟାନ୍ତ ହେବା ପରେ ପ୍ରଶାସନ ଏବେ ନିରୀହ ମଇଁଷିକୁ ଉଠାଇ ଆଣିଛି । ମଧ୍ୟପ୍ରଦେଶର ଗ୍ୱାଲିଅର ମହାନଗର ନିଗମରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ ଗ୍ୱାଲିଅରରେ ରହୁଥିବା ବାଳକୃଷ୍ଣ ପାଲ ଦୁଗ୍ଧ ବ୍ୟବସାୟ କରନ୍ତି । ତାଙ୍କ ପାଖରେ ୨୦ରୁ ଅଧିକ ମଇଁଷି ଥିବାବେଳେ ସେ ପ୍ରତିଦିନ କ୍ଷୀର ନେଇ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ବିକ୍ରି କରନ୍ତି । ତେବେ ବାଳକୃଷ୍ଣଙ୍କ ଉପରେ ମହାନଗର ନିଗମର ୧ ଲକ୍ଷ ୨୯ ହଜାର ଟଙ୍କାର ଜଳକର ବାକି ଥିଲା। ଏନେଇ ନଗର ନିଗମ ପକ୍ଷରୁ ତାଙ୍କୁ ବାରମ୍ବାର ବକେୟା ଜଳକର ଦେବାକୁ କୁହାଯାଇଥିଲା ।
କିନ୍ତୁ ବାଳକୃଷ୍ଣ ବାରମ୍ବାର ଏହାକୁ ଏଡାଇ ଯାଇଥିଲେ । ଏହାପରେ ନଗର ନିଗମ କମିଶନର କିଶୋର କାନିଆଲଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଜଳକର ବକେୟା ରାଶି ସଂଗ୍ରହ କରିବାକୁ ତାଙ୍କ ଘରକୁ ଯାଇଥିଲେ । ଅଧିକାରୀଙ୍କୁ ଦେଖି ବାଳକୃଷ୍ଣ ପାଟିତୁଣ୍ଡ କରିବା ସହ ଏକାସାଙ୍ଗରେ ଏତେ ପରିମାଣର ଟିକସ ଦେଇହେବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ । ଏହାପରେ ନଗର ନିଗମ ଅଧିକାରୀମାନେ ବାଳକୃଷ୍ଣଙ୍କର ଗୋଟିଏ ମଇଁଷିକୁ ନେଇ ଚାଲିଯାଇଥିଲେ । ଜଳକର ପୈଠ କଲେ ହିଁ ମଇଁଷିକୁ ଛଡ଼ାଯିବ ବୋଲି ବାଳକୃଷ୍ଣଙ୍କୁ ନୋଟିସ ଦେଇ ଚାଲିଯାଇଥିଲେ ।
Comments are closed.