Latest Odisha News

BREAKING NEWS

ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଅ ଦାବିରେ ବିଭିନ୍ନ ରାଜନୈତିକ ଦଳର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ପାଇଁ ଏକାଠି ହେଲେ ବିରୋଧୀ ଦଳ । ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଲଗାତର ଭାବରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଜେପି ସରକାର ଏବଂ ଏହାର ନେତୃବୃନ୍ଦ କ୍ରମାଗତ ଭାବରେ ସମ୍ବିଧାନକୁ ଆକ୍ରମଣ କରି ଚାଲିଛି । ବ୍ୟକ୍ତି ସ୍ୱାଧୀନତା ଏବଂ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ବଳ ପୂର୍ବକ ଭାବେ କ୍ଷୂର୍ଣ୍ଣ କରି ଦିଆଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତିମୁହୂର୍ତ୍ତରେ କ୍ଷମତା ଅହଙ୍କାରରେ ଦଳି ଚକଟି ଦିଆ ଯାଉଛି । ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଦେଇଥିବା ବକ୍ତବ୍ୟକୁ ସଂସଦ ରେକର୍ଡରୁ କାଟି ଦିଆ ଯାଇଛି ଏବଂ ତାଙ୍କ ସ୍ୱରକୁ ଚାପି ଦେବାପାଇଁ ଲୋକ ସଭା ସଭ୍ୟପଦରୁ ରଦ୍ଦ କରାଯାଇଛି । ଯାହାକି ସଂସଦୀୟ ଗଣତନ୍ତ୍ର ପ୍ରତି ଘୋର ବିପଦ ।

ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଅ ଦାବିରେ ଆଜି କଂଗ୍ରେସ ସମେତ ରାଜ୍ୟର ବହୁ ରାଜନୈତିକ ଦଳର ପ୍ରତିନିଧିଙ୍କ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଠାରେ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଦଳର ଶହଶହ ନେତୃବୃନ୍ଦ ଓ କର୍ମୀ ସର୍କିଟ ହାଉସ ଠାରୁ ଏକ ପଦଯାତ୍ରାରେ ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ ଏବଂ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନେତୃବର୍ଗଙ୍କ ସମେତ ସିପିଆଇ, ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର),ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି ପ୍ରମୁଖ  ଯୋଗ ଦେଇଥିଲେ ।

Leave A Reply

Your email address will not be published.