Latest Odisha News

BREAKING NEWS

ଓଲିଉଡରେ ଆରମ୍ଭ ହେଲା ବାୟୋପିକ୍‌ ଟ୍ରେଣ୍ଡ

ଭୁବନେଶ୍ୱର: ବଲିଉଡ ଭଳି ଓଲିଉଡରେ ମଧ୍ୟ ଆରମ୍ଭ ହୋଇଛି ବାୟୋପିକର ଟ୍ରେଣ୍ଡ । ପୂଜାରେ ଏହା ବଡ଼ ପରଦାକୁ ଆସିବ । ସାଧାରଣ ମଣିଷରୁ ଉଦ୍ୟୋଗପତି ହୋଇଥିବା ଜଣେ ଗରିବ ଲୋକର କାହାଣୀ ଏଥିରେ ଦେଖା ଯାଇଛି ।

ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌, ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା । ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧି ସେ ସ୍କୁଲ୍‌ ଯାଉଥିଲେ। ସ୍କୁଲ୍‌ରେ ଦିଆଯାଉଥିବା ଖାଇବା ପାଇଁ ଲାଇନ୍‌ରେ ଛିଡ଼ା ହେଉଥିଲେ। ଯେଉଁ ବୟସରେ ଖଡ଼ି,ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡ଼ା ଧରିଲେ।

ଏହି ପ୍ରତିଷ୍ଠିତ ଉଦ୍ୟୋଗପତି ଅବଦୁଲ ଅମିନ୍‌ ଖାନ୍‌ଙ୍କର ରହିଛି ଏମିତି ଏକ ସଂଘର୍ଷମୟ କାହାଣୀ । ଆଉ ତାଙ୍କର ଏହି ସଂଘର୍ଷମୟ ଜୀବନୀକୁ ନେଇ ନିର୍ମାଣ ହେଉଛି ଏକ ଓଡ଼ିଆ ଫିଲ୍ମ। ଏହା ନାଁ ରଖାଯାଇଛି ‘ବାବୁ ଭାଇଜାନ’।

‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ଅଭିନେତା ଅରିନ୍ଦମ। ତାଙ୍କ ନାୟିକା ସାଜିବେ ଅଭିନେତ୍ରୀ ଶିବାନୀ। ଏଥିସହ ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି ।

ସନ୍ତୋଷ କୁମାର ଦାସଙ୍କ ପ୍ରଯୋଜିତ ‘ବାବୁ ଭାଇଜାନ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ତାପସ ସରଘରିଆ । ଦୁର୍ଗାପୂଜାରେ ରିଲିଜ ହେବ ବୋଲି ଶୁଣାଯାଉଥିବା ଏହି ସିନେମାଟିର ନିକଟରେ ଫିଲ୍ମର ମହୁରତ୍‌ ଅନୁଷ୍ଠିତ ହୋଇଯାଇଥିବା ବେଳେ, ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ।

Leave A Reply

Your email address will not be published.