Latest Odisha News

ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବରଗଡ଼ : ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୧୬ଟି ମତଦାନ କେନ୍ଦ୍ରରେ ସୋମବାର ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୬ଟି ମତଦାନ କେନ୍ଦ୍ର ଭିତରୁ ୭ଟି ସମ୍ବେଦନଶୀଳ ଓ ୩ଟି ଅତି ସମ୍ବେଦନଶୀଳ କେନ୍ଦ୍ର ରହିଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥ୍‌କୁ ପିଙ୍କ୍‌ (ଗୋଲାପି) ବୁଥ୍‌ କରାଯାଇଛି l ଏହି ବୁଥ୍‌ରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ୍ ମହିଳା ଅଛନ୍ତି | ସୂଚନା ଅନୁସାରେ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ୧୩ହଜାର ୫୨୦ ଜଣ ଭୋଟର। ସେପଟେ ପ୍ରଥମ କରି ଭୋଟ ଦେଉଥିବା ଯୁବ ମତଦାତାଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l

ଜିଲାପାଳ ମୋନିଷା ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପ ଜିଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲାପାଳ ସଦାକର କୁମ୍ଭାର, ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ବାଇଁ ଓ ଅତାବିରା ବିଡ଼ିଓ ପ୍ରମୋଦ କୁମାର ମେହେର ନିର୍ବାଚନ ତଦାରଖ କରୁଛନ୍ତି । ବରଗଡ଼ର ଡେପୁଟି କଲେକ୍ଟରଙ୍କ ସମେତ ବିଜେପୁର, ବରଗଡ଼, ଭଟଲି, ବରପାଲି, ଅମ୍ବାଭୋନା, ଝାରବନ୍ଧ ଓ ସୋହେଲା ତହସିଲଦାର ଏବଂ ସୋହେଲା, ବରପାଲି ବିଡ଼ିଓଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି।

ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ବରଗଡ଼ ଏସ୍‌ପି ପି. ଏସ୍‌. ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍‌ପି ପି. କେ. ମିଶ୍ର, ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା, ଅତାବିରା ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ସମେତ ଭଟଲି ଓ ବିଜେପୁର ଥାନା ଆଇଆଇସି, ୧୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪୯ଜଣ ହାବିଲଦାର ଓ କନଷ୍ଟେବଳ, ୪ଟି ମୋଟର ଓ ୫ଟି ବାଇକ ପାଟ୍ରୋଲିଂ ଦାୟିତ୍ୱରେ ରହିଛନ୍ତି । ଏହାସହ ସୁରକ୍ଷା ବ୍ୟବସ୍ଥାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମତଦାନ ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ |

Comments are closed.