ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ରୋନାଲ୍ଡୋ ଚଳିତ ବର୍ଷ ଶେଷ ଭାଗରେ ଭାରତ ଆସିବା ସହ ଇଣ୍ଡିଆନ ସୁପର ଲିଗ ଟିମ ମୁମ୍ବାଇ ସିଟି ଏଫସି ବିପକ୍ଷରେ ମ୍ୟାଚ ଖେଳି ପାରନ୍ତି । ମୁମ୍ବାଇ ସିଟି ମଙ୍ଗଳବାର ପ୍ଲେ ଅଫ ମ୍ୟାଚରେ ଜାମସେଦପୁର ଏଫସିକୁ ୩-୧ରେ ପରାସ୍ତ କରିଛି । ଏଥିସହ ଦଳ ଏଏଫସି ଚାମ୍ପିୟନ୍ସ ଲିଗ ୨୦୨୩-୨୪ ଗ୍ରୁପ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏଏଫସି ଚାମ୍ପିୟନ୍ସ ଲିଗ ଗ୍ରୁପ ରାଉଣ୍ଡ ସେପ୍ଟମ୍ବର ୧୮ରୁ ଆରମ୍ଭ ହେବ । ରୋନାଲ୍ଡୋ ଗତ ବର୍ଷ ଶେଷ ଭାଗରେ ସାଉଦି ଆରବ କ୍ଲବ ଅଲ ନସ୍ର ସହ ଚୁକ୍ତି କରିଛନ୍ତି । ତାଙ୍କ ଟିମ ସାଉଦି ପ୍ରଫେଶନାଲ ଲିଗରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହା କିଙ୍ଗସ କପ ସେମିଫାଇନାଲରେ ମଧ୍ୟ ପ୍ରବେଶ କରି ସାରିଛି ।
ଅଲ ନସ୍ର ଟିମ ଯଦି ସାଉଦି ପ୍ରଫେଶନାଲ ଲିଗର ଶୀର୍ଷ ସ୍ଥାନ ହାସଲ କରିବା ସହ କିଙ୍ଗସ କପ ଫାଇନାଲ ଜିତିଯାଏ ତାହାହେଲେ ଏଏଫସି ଚାମ୍ପିୟନ୍ସ ଲିଗରେ ସ୍ଥାନ ପାଇବ । ଭାରତ ଓ ସାଉଦି ଆରବକୁ ଏହି ଲିଗ ପଶ୍ଚିମାଂଚଳରେ ରଖିଛି । ଯଦି ସବୁ କିଛି ଠିକଠାକ ଚାଲେ ତାହାହେଲେ ମୁମ୍ବାଇ ସିଟି ଓ ଅଲ ନସ୍ର ଟିମ ଗୋଟିଏ ଗ୍ରୁପରେ ସ୍ଥାନ ପାଇବେ । ଏଏଫସି ଚାମ୍ପିୟନଶିପ ନିୟମ ଅନୁସାରେ ମୁମ୍ବାଇ ସିଟି ରିୟାଦ ଯିବ ଏବଂ ଅଲ ନସ୍ର ଟିମ ଭାରତ ଆସିବ ।
Comments are closed.