ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପାନିକ ବଟନ । ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ ବୋଲି କହିଚି ବାଣିଜ୍ୟ ଓ ପରିବହନ ବିଭାଗ ।
ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ ଏବଂ ମାଲବାହୀ ଗାଡିରେ ପାନିକ ବଟନ ଲଗାଇବା ବାଧ୍ୟତାମୂଳକ କରାଯିବ । ଏହାବ୍ୟତୀତ ଗାଡି ଚୋରି ରୋକିବା, ଗାଡିକୁ ଟ୍ରାକ କରିବା, ଗାଡିର ବେଗ ଜାଣିବା ପାଇଁ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ସମସ୍ତ ଯାତ୍ରୀବାହୀ ବସ, ସ୍କୁଲବସ, କାର, ମିନି ବସ୍, ଟ୍ରକ, ଲରି, ମିନି ଟ୍ରକ ସବୁଥିରେ ଏହି ଡିଭାଇସ ଲଗାଯିବ । ଏହି ବଟନ ଡ୍ରାଇଭର ସିଟ ଓ ପଛ ଡୋରରେ ଲାଗିବ । ଫଳରେ ଯାତ୍ରୀ କିଛି ବି ଅସୁବିଧାରେ ପଡିଲେ ଏହାକୁ ଚିପି ପାରିବେ ।ଏହାକୁ ଚିପିଲେ ଏକ ସାଇରନ ବାଜିବ ଯାହାର ସଂଯୋଗ କଣ୍ଟ୍ରୋଲ ରୁମ ସହ ରହିଛି । ଏପଟେ ସାଇରନ ବାଜିଲେ କଣ୍ଟ୍ରୋଲ ରୁମରେ ଥିବା କମ୍ପ୍ୟୁଟରରେ ଦେଖାଯିବ । ଏହାଦ୍ୱାରା ଗାଡ଼ିକୁ ଟ୍ରାକ ମଧ୍ୟ କରିହେବ । ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିପାରିବ ।
ବିପଦରେ ପଡିଲେ ଫୋନ ପରିବର୍ତ୍ତେ ଏହି ବଟନ ଟିପିଦେଲ ପୋଲିସ ପାଖରେ ବାର୍ତ୍ତା ପହଞ୍ଚିଯିବ । ତା ଛଡା ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ ଡ୍ରାଇଭର ମଧ୍ୟ ଏହି ବଟନ ଟିପି ସହାୟତା ମାଗି ପାରିବେ ।
ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏହି ନିୟମକୁ କଡାକଡି କରିବା ପାଇଁ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଗାଡିରେ ଏସବୁ ଡିଭାଇସ ଲାଗି ନ ଥିବା ତାହାକୁ ପଞ୍ଜୀକରଣ କରାଯିବ ନାହିଁ । ପୁରୁଣା ଗାଡିରେ ବି ଏସବୁ ଲଗାଇବା ବାଧ୍ୟତାମୂଳକ କରାଯିବ ।
ଯେଉଁ ଗାଡି ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ପଞ୍ଜୀକୃତ ହେବ ଏବଂ ଯେଉଁଗାଡି ସବୁ ପୂର୍ବରୁ ପଞ୍ଜୀକୃତ ହୋଇଛି ସେ ସବୁ ଗାଡି ପାଇଁ ଅଗଷ୍ଟ ୩୧ ତାରିଖ ଡେଡ ଲାଇନ ରଖାଯାଇଛି । ଏହି ତାରିଖ ସୁଦ୍ଧ ଗାଡିରେ ପାନିକ ବଟନ ଏବଂ ଲୋକେସନ ଡିଭାଇସ ଲଗାଇବା ବାଧ୍ୟତାମୂଳକ । ଏସବୁ ଯନ୍ତ୍ରାଂଶ ନ ଥିଲେ ଗାଡି ପଞ୍ଜୀକୃତ ହେବନି କିମ୍ବା ତାଙ୍କର ଡକ୍ୟୁମେଣ୍ଟ ନବୀକରଣ ହେବନି । ଏପରିକି ତାଙ୍କୁ ଫିଟନେସ ସାର୍ଟିଫିକେଟ ମଧ୍ୟ ମିଳିବନି ।
Comments are closed.