ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ମଥାରେ ଥାଏ ଜ୍ଞାନ
ଯଦି ତାହାର ଆଚରଣ
ନ ହୁଏ କେବେ ପ୍ରୀତିପୂର୍ଣ
ସେ ସତେ ଅଟଇ ଅଜ୍ଞାନ
ଜ୍ଞାନକୁ ନିଜସ୍ୱ ସଂପତ୍ତି
ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି
କରିଚାଲେ କେବଳ କ୍ଷତି
ହୁଏନି ତା’ର କ୍ରମୋନ୍ନତି
ଜ୍ଞାନ କରିଲେ ଉଚ୍ଚାରଣ
କମିଯାଏ ତହିଁର ମାନ
କାର୍ଯତଃ କରିଲେ ପାଳନ
ସାର୍ଥକ ହୁଏ ଏ ଜୀବନ
ପ୍ରୟୋଗ ନ କରିଲେ ଜ୍ଞାନ
ଗଚ୍ଛିତ ଧନର ସମାନ
ଅଯଥା ରହିଥାଏ ପଡ଼ି
ଆଗକୁ ପାରେନାହିଁ ବଢ଼ି
ସ୍ମୃତିଧରଂକୁ ଭାବି ଜ୍ଞାନୀ
ଶୁଣାଇ ଦୁଃଖଦ କାହାଣୀ
ଆଶା କରିଲେ ସମାଧାନ
ମିଳେନି ତହିଁର ସଂଧାନ
କରିଲେ ଜ୍ଞାନ ବିତରଣ
ହୁଏ ନିଶ୍ଚୟ ବର୍ଧମାନ
ଜ୍ଞାନ ଯେହେତୁ ନୁହେ ସ୍ଥିର
ବଦଳୁଥାଏ ବାରଂବାର
ଜ୍ଞାନ ବଳରେ ଚଳେ ବିଶ୍ୱ
ଜ୍ଞାନ ବିହୁନେ ସର୍ବେ ନିଃସ୍ବ
ଏ ସତ୍ୟ କରିଲେ ବିଶ୍ବାସ
ହୁଅଇ ସମୂହ ବିକାଶ
ସ୍ବାନୁଭୂତିରୁ ପ୍ରାପ୍ତ ଜ୍ଞାନ
ଅର୍ଜନକାରୀ ଲୋକମନ
ହୋଇ ନ ଥାଏ ସଂଦିହାନ
କରେ ସ୍ବକର୍ମ ସଂପାଦନ
ତଥ୍ୟ ଓ ଜ୍ଞାନର ଓଜନ
ଭାଷାର ସାନ ଶବ୍ଦମାନ
କରଂତି ଯେହେତୁ ବହନ
ଦୀପ୍ତି ହୁଏନି କେବେ ମ୍ଳାନ
ଜ୍ଞାନବାହୀ ହୋଇଲେ ଭାଷା
ବଢ଼ାଏ ଲୋକଂକ ଭରସା
ପୂରଣ ହୁଏ ଯେଣୁ ଆଶା
ପଡ଼ଇ ବିମଳ ସୁଦଶା
Comments are closed.