Latest Odisha News

BREAKING NEWS

ପୋଷ୍ଟାଲ ଚାକିରିରେ ଜାଲ୍ ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୋଷ୍ଟାଲ ଚାକିରିରେ ବାହାରା ରାଜ୍ୟର ଲିଙ୍କ୍ । ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ ପୋଷ୍ଟ ମାଷ୍ଟର ଜେନେରାଲ। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏପ୍ରିଲ ୧ ତାରିଖରୁ ତଦନ୍ତ କରୁଛି। ଯେଉଁଥିରେ ଉତ୍ତର ପ୍ରଦେଶ ସହ ଏକ ଲିଙ୍କ୍ ସାମ୍ନାକୁ ଆସିଛି। ଏହାପରେ ସିବିଆଇ ତଦନ୍ତ ପାଇଁ ଓଡ଼ିଶାର ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ (ପିଏମଜି) ଅନୁରୋଧ କରିଛନ୍ତି।

ବଲାଙ୍ଗୀରରୁ ଆରମ୍ଭ ହୋଇଥିବା ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରଥମେ ତଦନ୍ତ କରିଥିଲା ଏବଂ ପରେ ଅନ୍ୟ ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଥିବାର ପ୍ରମାଣ ପାଇଛି। ଭାରତୀୟ ଡାକ ବିଭାଗର ସମ୍ବଲପୁର ଡିଭିଜନ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଯାଞ୍ଚ ସମୟରେ କେତେକ ପ୍ରାର୍ଥୀଙ୍କ ପ୍ରମାଣପତ୍ରର ସତ୍ୟତା ନେଇ ସନ୍ଦେହ ପ୍ରକାଶ କରିବା ପରେ ପିଏମଜି ସିବିଆଇକୁ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଭାରତୀୟ ଡାକ ବିଭାଗରେ ଏବେ ସୁଦ୍ଧା ୧୯୮୨ ପଦବୀରେ ନିଯୁକ୍ତି ସମୟରେ ୪୨ଟି ନକଲି ପ୍ରମାଣପତ୍ର ମିଳିଥିବା ଜଣାପଡ଼ିଛି।

ସମ୍ବଲପୁର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ବିପିନ ବିହାରୀ ନେଗୀଙ୍କ କହିବାନୁସାରେ, ସେମାନେ ସନ୍ଦେହ କରିଥିଲେ ଯେ ଅନ୍ୟୂନ ଛଅ ଜଣ ପ୍ରାର୍ଥୀ ନକଲି କାଗଜପତ୍ର ଦାଖଲ କରିଛନ୍ତି। ସମସ୍ତେ ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦରୁ ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସେମାନେ ଇଂରାଜୀ ଓ ଓଡ଼ିଆରେ ୯୮%-୯୯% ନମ୍ବର ରଖିଥିବା ଦର୍ଶାଯାଇଥିଲା।

ପିଏମଜି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବାରିକ କହିଛନ୍ତି, ୨୦୧୮ ପରେ ନିଯୁକ୍ତି ପାଇଥିବା ପୋଷ୍ଟ ମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଗିରଫ ୪ ଅଭିଯୁକ୍ତଙ୍କ ବ୍ୟତୀତ ଦଲାଲ ଓ ରାକେଟ୍ ଚଳାଉଥିବା ସରକାରୀ କର୍ମଚାରୀଙ୍କ ସମେତ ୭ ଜଣିଆ ସିଣ୍ଡିକେଟର ସମ୍ପୃକ୍ତି ନେଇ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ବଲାଙ୍ଗୀରରୁ ଆଉ ୬ ଜଣ ପରୀକ୍ଷାର୍ଥୀ ଜାଲ୍ ସାର୍ଟିଫିକେଟ୍ ନେଇଥିବା ବେଳେ ସେଥିମଧ୍ୟରୁ ବଲାଙ୍ଗୀରରୁ ୩ଜଣ ଓ ବରଗଡ଼, ଦେବଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ ଜାଲ୍ ସାର୍ଟିଫିକେଟ୍ ନେଇଛନ୍ତି। କ୍ରାଇମବ୍ରାଞ୍ଚ ମନୋଜ ମିଶ୍ରଙ୍କୁ ପଚରାଉଚରା ବେଳେ ଏହି ପ୍ରାର୍ଥୀଙ୍କ ବିଷୟରେ ଜାଣିବାକୁ ପାଇଥିଲା। ସେହି ପ୍ରାର୍ଥୀମାନଙ୍କୁ ଖୋଜିବା ପାଇଁ ସମ୍ବଲପୁର ପୁଲିସର ଏକ ଟିମ୍ ଅନ୍ୟ ତିନିଟି ଜିଲ୍ଲାକୁ ଯାଇଛି।

Comments are closed.