Latest Odisha News

BREAKING NEWS

ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟରେ କାଲିଠୁ ଶୁଣାଣୀ, କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ : ଦେଶରେ ସମଲିଙ୍ଗୀ ବିବାହକୁ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂଆ ଆବେଦନ କରିଥିବା ଜଣାପଡ଼ିଛି। ଆବେଦନରେ କେନ୍ଦ୍ର ସରକାର କହିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିପାରିବେ କି ନାହିଁ ତାହା ମଧ୍ୟ ଚିନ୍ତା କରିବା ଆବଶ୍ୟକ। ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପା‌ରିବେ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହା କେବଳ ଉପଯୁକ୍ତ ସଂସଦୀୟ ବିଧାୟିକା ମାଧ୍ୟମରେ ହୋଇ ପାରିବ। ଆବେଦନରେ ସରକାର କହିଛନ୍ତି ଯେ ସୁପ୍ରିମକୋର୍ଟ ଆବେଦନଗୁଡ଼ିକର ଗୁରୁତ୍ୱ ଉପରେ ବିଚାର କରିବା ଜରୁରୀ।

ଭାରତରେ ସମଲିଙ୍ଗୀ ବିବାହର ଆଇଗତ ବୈଧ୍ୟତା ଦାବି କରୁଥିବା ଉକ୍ତ ପିଟିସନ୍‌ଗୁଡ଼ିକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା କଥାକୁ ବି କେନ୍ଦ୍ର ସରକାର ବିରୋଧ କରିଛନ୍ତି। କହିଛନ୍ତି, ଆବେଦନକାରୀମାନେ ବିବାହର ଏକ ନୂତନ ଅନୁଷ୍ଠାନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି, ଯାହା ବିଦ୍ୟମାନ ଆଇନର ଧାରଣାଠାରୁ ଭିନ୍ନ ଅଟେ। ଏହାକୁ ଆଇନସିଦ୍ଧ କରିବାକୁ ହେଲେ ଗ୍ରାମୀଣ, ଅର୍ଦ୍ଧ-ଗ୍ରାମୀଣ ଓ ନଗରାଞ୍ଚଳ ଜନସାଧାରଣଙ୍କ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଓ ମତାମତ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କେନ୍ଦ୍ର କହିଛି ଯେ ବିବାହ ଏକ ସାମାଜିକ ଅନୁଷ୍ଠାନ। ଏହାଛଡ଼ା, ବିବାହ କ୍ଷେତ୍ରରେ ଥିବା ଧର୍ମ ବିଶ୍ବାସ, ବ୍ୟକ୍ତିଗତ ରୀତିନୀତି, ତଥା ଅନ୍ୟାନ୍ୟ ଦିଗକୁ ବି ବିଚାର କରିବାକୁ ପଡ଼ିବ।

କେନ୍ଦ୍ର ନିଜ ଆବେଦନରେ ଯୁକ୍ତି ବାଢ଼ିଛି ଯେ, ସମଲିଙ୍ଗୀ ବିବାହକୁ ଆଇନଗତ କରିବା ଏକ ବ୍ୟାପକ ପ୍ରଭାବ ପକାଇବ ଏବଂ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ସମଗ୍ର ଦେଶର ମତକୁ ପ୍ରତିଫଳିତ କରୁନାହିଁ। ଏହା କେବଳ ସହରୀ ଆଭିଜାତ୍ୟବର୍ଗଙ୍କ ଚିନ୍ତାଧାରା। ଏହାକୁ ଦେଶର ବିଭିନ୍ନ ବିଭାଗ ଏବଂ ସମଗ୍ର ଦେଶର ନାଗରିକଙ୍କ ମତ ଭାବରେ ବିବେଚନା କରାଯାଇପାରିବ ନାହିଁ । ତେଣୁ ସହରୀ ଆଭିଜାତ୍ୟ ବର୍ଗଙ୍କର ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଦିବା ଉଚିତ ନୁହେଁ।

ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ଦାବିରେ ସୁପ୍ରିମକୋର୍ଟରେ ୧୫ ଟି ଆବେଦନ କରାଯାଇଛି। ଏହି ଆବେଦନଗୁଡିକର ଶୁଣାଣି ବେଳେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ଆବେଦନଗୁଡ଼ିକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ ଏପ୍ରିଲ(ମଙ୍ଗଳବାର)ଠାରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ହେବ। ସୂଚନାଯୋଗ୍ୟ, ମାର୍ଚ ୧୩ ତାରିଖ ଦିନ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ରେଫର୍‌ କରିଥିଲେ।

Leave A Reply

Your email address will not be published.