Latest Odisha News

BREAKING NEWS

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ ଓଡିଶା ପକ୍ଷରୁ ଡ୍ୟାମ ସେଫଟି ନିର୍ଦ୍ଦେଶକ ସମେତ ଜଳସମ୍ପଦ ବିଭାଗ ଅଧିକାରୀ ଓ ବିଶେଷଜ୍ଞ ସାମିଲ ହେବେ । ଟ୍ରିବ୍ୟୁନାଲ ଟିମ୍ ଆସନ୍ତାକାଲି(ବୁଧବାର)ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ।

ସୂଚନାଯୋଗ୍ୟ, ଏପ୍ରିଲ ୧୯(ବୁଧବାର)ରୁ ୨୧ ମଧ୍ୟରେ, ମହାନଦୀର ଉତ୍ପତ୍ତି ସ୍ଥଳ ଫାରସିୟା ଗ୍ରାମ, ସନ୍ଦୁର ନଦୀବନ୍ଧ, ରବିଶଙ୍କର ସାଗର ଜଳାଶୟ, ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳ, ରବିଶଙ୍କର ସାଗର ପ୍ରକଳ୍ପ, ମୁରୁମସିଲି ଡ୍ୟାମ, ଦୁଧୱା ଡ୍ୟାମ ସାଇଟ, ନୂତନ ରୁଦ୍ରି ବ୍ୟାରେଜ, ସିଓନାଥ ଉପର ଅବବାହିକା, ଧାମଧାସ୍ଥିତ ତିମାରି ମାଇନର ଟ୍ୟାଙ୍କ, ଖଇରାଗଡ଼ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧ ବାବା ଟ୍ୟାଙ୍କ, ଚୁଇଖଦମସ୍ଥିତ ପିପାରିଆ ଡ୍ୟାମ ଆଦି ଟ୍ରିବ୍ୟୁନାଲ ଟିମ୍ ପରିଦର୍ଶନ କରିବେ। ଏହାପରେ ୨୨ରେ ଉପର ମହାନଦୀ ମୁଖ୍ୟ ଉପ-ଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ ପରେ ସେ ଦିନ ଟ୍ରିବ୍ୟୁନାଲ ଦିଲ୍ଲୀ ଫେରିଯିବେ।

ଏହାପରେ ପୁନର୍ବାର ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ । ୨୯ ତାରିଖ ରାତିରେ ଦିଲ୍ଲୀରୁ ରାୟପୁରରେ ପହଞ୍ଚିବେ ଟ୍ରିବ୍ୟୁନାଲ ଟିମ। ଗସ୍ତ ସୂଚୀ ଅନୁସାରେ ଏପ୍ରିଲ ୩୦ରେ ଟ୍ରିବ୍ୟୁନାଲ ଜଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଉପଅବାବାହିକା, ବଲ୍ଲାର ଜଳାଶୟ, କାଶଦଲ ଓ ସୀଓରିନାରାୟଣ ବ୍ୟାରେଜ। ମେ’ ୧ରେ ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ୍‌। ମେ’ ୨ରେ ହାସଦେଓ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, ମିରୋନୀ ବ୍ୟାରେଜ, କଲମା ବ୍ୟାରେଜ ଓ ସୁରଜଗଡ଼ ସେତୁ ପରିଦର୍ଶନ କରିବେ। ସୂଚନା ମୁତାବକ ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିବସ ତଥା ମେ’ ୩ରେ ଟ୍ରିବ୍ୟୁନାଲ କେଲୋ ପ୍ରକଳ୍ପ ପରିଦର୍ଶନ କରି ସେ ଦିନ ସନ୍ଧ୍ୟାରେ ଝାରସୁଗୁଡ଼ାରୁ ବିମାନଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ‌ସେହିପରି ଏପ୍ରିଲ ୨୯ରୁ ମଇ ୩ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିବେ। ଟ୍ରିବ୍ୟୁନାଲଙ୍କ ଏହି ଗସ୍ତକୁ ନେଇ ଉଭୟ ରାଜ୍ୟ ନିଜ ନିଜର ପ୍ରସ୍ତୁତି କରିଥିବା ବେଳେ ଓଡ଼ିଶା ପକ୍ଷରୁ ତ୍ୱରିତ୍‌‌ ନ୍ୟାୟ ଦାବି କରାଯାଉଛି। ମହାନଦୀ ଘଟଣାରେ ବିଗତ ବର୍ଷମାନଙ୍କରେ ଓଡ଼ିଶା ଲଗାତାର ଭାବେ ଅବିଚାର ସହି ଆସୁଛି। ଅଣମୌସୁମା ସମୟରେ ଛତିଶଗଡ଼ ଓଡ଼ିଶାକୁ ପ୍ରବାହିତ ଜଳସ୍ରୋତ ଉପରେ ଅଙ୍କୁଶ ଲଗାଉଥିବା ବେଳେ ମୌସୁମୀ ସମୟରେ ବଳକା ପାଣି ଓଡ଼ିଶାକୁ ଛାଡ଼ୁଛି। ତେଣୁ ବାସ୍ତବିକ ସ୍ଥିତିକୁ ହୃଦ୍‌‌ବୋଧ କରି ଟ୍ରିବ୍ୟୁନାଲ ଓଡ଼ିଶାକୁ ନ୍ୟାୟ ପ୍ରଦାନ କରନ୍ତୁ। ଏହି ଗସ୍ତ ସମୟରେ ତୁରନ୍ତ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରଦାନ କରିବାକୁ ବିଶେଷଜ୍ଞମାନେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପ ଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି। ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ଗତ ୩୬ଟି ଶୁଣାଣିରେ ଟ୍ରିବ୍ୟୁନାଲଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନହାନ୍ତି। ଶୁଣାଣି ମଧ୍ୟରେ ଛତିଶଗଡ଼ ନିଜର ବେଆଇନ କାର୍ଯ୍ୟ ଜାରି ରଖିଥିବା ବେଳେ ମୌସୁମୀ ସମୟରେ ପାଣିର ସ୍ରୋତକୁ ଜୋର୍‌‌ ଜବରଦସ୍ତ ଅଟକାଇବା ସହ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି। ଅଣମୌସୁମୀ ସମୟରେ ଛତିଶଗଡ଼ ପାଣି ଛାଡ଼ୁନାହିଁ। ସେପଟେ ଚଳିତ ବର୍ଷ ଏପ୍ରିଲ ମଧ୍ୟାନ୍ତର ସୁଦ୍ଧା ହୀରାକୁଦରେ ଯେତିକି ପାଣି ରହିବା କଥା ତାହାଠାରୁ ଯଥେଷ୍ଟ କମ୍‌‌ ପାଣି ରହିଛି। ଗୋଟିଏ ପଟେ ଆଜିର ତାରିଖରେ ହୀରାକୁଦ ଜଳଭଣ୍ଡାରରେ ୬୧୩.୬ ଫୁଟ ପାଣି ଥିବାବେଳେ ଛତିଶଗଡ଼ରେ କିନ୍ତୁ ସାରଡିହି, ବସନ୍ତପୁର, ଶିବରିନାରାୟଣ, ମିରୋନି ପରି ବ୍ୟାରେଜରେ ଯଥେଷ୍ଟ ପାଣି ମହଜୁଦ ରହିଛି। ହୀରାକୁଦ ଜଳଭଣ୍ଡାରରେ ସମାନ ସ୍ଥିତି ବଜାୟ ରହିଲେ ମେ ମାସ ଶେଷବେଳକୁ ସ୍ଥିତି ସାଂଘାତିକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ବାସ୍ତବତାକୁ ଅନୁଧ୍ୟାନ କରି ଓଡ଼ିଶାକୁ ନିର୍ଦ୍ଧିଷ୍ଟ ପରିମାଣର ପାଣି ଛାଡ଼ିବାକୁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବେ ବୋଲି ଆଶା କରାଯାଉଛି ।

Comments are closed.