Latest Odisha News

BREAKING NEWS

ଆଗାମୀ ନିର୍ବାଚନରେ ପୋଲସରାରୁ ବାଦ ପଡିବେ କି ଶ୍ରୀକାନ୍ତ ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି ପୋଲସରା ନିର୍ବାଚନ ମଣ୍ଡଳୀ। ପୋଲସରା ବିଧାୟକ ତଥା ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ପୁଣି ଖୋଦ ନିଜ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ମନ୍ତ୍ରୀଙ୍କ ସମେତ ପୁରା ଦଳ ଅଡୁଆରେ ପଡିଥିବା କୁହାଯାଉଛି।

ବିଜେଡି ନେତ୍ରୀ ଜଣଙ୍କ ମନ୍ତ୍ରୀଙ୍କ ବିରୋଧରେ ଦୁଇମାସ ତଳୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦୁଇମାସ ତଳେ ଶାସକ ଦଳର ସମ୍ପୃକ୍ତ ନେତ୍ରୀ ମହିଳା ଥାନାରେ ମାମଲା ରୁଜୁ ପାଇଁ ଆସିଥିଲେ ମଧ୍ୟ ଶାସକ ଦଳର କିଛି ନେତ୍ରୀ ଓ ପ୍ରଭାବଶାଳୀ ନେତାଙ୍କ ହସ୍ତକ୍ଷେପରେ ମାମଲା ରୁଜୁ ନ କରି ସେ ଘରକୁ ଫେରିଥିଲେ ବୋଲି କୁହାଯାଉଛି।

ପରେ ଥାନାରେ ଏହି ଅଭିଯୋଗ ହୋଇଥିବାବେଳେ ପୋଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଏହି ଗୁରୁତର ଅଭିଯୋଗ ଆସିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡିକୁ ଘେରିଛନ୍ତି।

ବିଜେପି ସିଧାସଳଖ ବିଜେଡିକୁ ଟାର୍ଗେଟ କରିବା ସହ ଦଳକୁ ଅପରାଧୀ ଓ ଯୌନ କେଲେଙ୍କାରୀ କରିଥିବା ବ୍ୟକ୍ତିଙ୍କ ଦଳ ବୋଲି କହିଛି। ଏପରିକି ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ଗିରଫ ଦାବି କରିଛି ବିଜେପି।

ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ଉଠାଇବା ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ପୋଲିସ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ବିଜେପି ଅଭିଯୋଗ କରିଛି।

ଯାହାକି ଶାସକ ଦଳକୁ ଅଡୁଆରେ ପକାଇଛି। ଏପରିକି ଖାଲି ସେତିକି ନୁହେଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ପ୍ରମୁଖଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଆଗକୁ ନିର୍ବାଚନ ଥିବାରୁ ଶ୍ରୀକାନ୍ତ ସାହୁଙ୍କ ସମେତ ଅଭିଯୋଗ ଥିବା ନେତା ମନ୍ତ୍ରୀଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶ୍ରୀକାନ୍ତ ସାହୁ ତୃଣମୂଳ ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଖୋଦ ନିଜ ଦଳର ନେତ୍ରୀଙ୍କୁ ଦୁଷ୍କର୍ମ ତାଙ୍କର ଓ ଦଳର ଅଡୁଆ ବଢ଼ାଇଛି। ବିଜେଡି ମହିଳାଙ୍କୁ ସମ୍ମାନ ଦେବା ସହ ଗୁରୁତ୍ୱ ଦେବାର କଥା କୁହାଯାଏ। ଏପରିକି ଏସଏଚଜି ଦ୍ୱାରା ମହିଳାଙ୍କୁ ସଶକ୍ତ କରିବା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ଅଧିକ ମହିଳାଙ୍କୁ ଟିକେଟ ଦେବା ସବୁକୁ ନେଇ ବିଜେଡି ଆଗରେ ଥାଏ।

ଏପରିକି ସାରା ଦେଶରେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ହକକୁ ନେଇ ବିଜେଡି ପୂର୍ବରୁ ଲଢେଇ ମଧ୍ୟ କରିଛି। ବିଭିନ୍ନ ନିର୍ବାଚନରେ ଦଳ ଅଧିକ ମହିଳାଙ୍କୁ ଟିକେଟ ମଧ୍ୟ ଦେଇଛି। ଏପରିକି ଆଗାମୀ ନିର୍ବାଚନରେ ଦଳ ଅଧିକ ମହିଳାଙ୍କୁ ଟିକେଟ ଦେବ ବୋଲି କୁହାଯାଉଛି।

କିନ୍ତୁ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଘଟଣା ପରେ ଖୋଦ ନିଜ ଦଳର ନେତ୍ରୀ ନିଜ ନେତାଙ୍କ ପାଖରେ ସୁରକ୍ଷିତ ନୁହଁନ୍ତି ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ନବୀନ ଶ୍ରୀକାନ୍ତଙ୍କ ବିରୋଧରେ କିଭଳି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି।

ସେପଟେ ଦେଶର କନିଷ୍ଠ ସରପଞ୍ଚ ଭାବେ ପରିଚିତ ଆରତୀ ଦେବୀ ଏବେ ତାଙ୍କ ବାୟୋପିକକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୋଲସରା ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ହେଉଛି। ତାଙ୍କ ଜୀବନୀ ଓ ଅନୁଭୂତିକୁ ନେଇ ବଲିଉଡରେ ସାର ମାଡାମ ସରପଞ୍ଚ ସିନେମା ତିଆରି ହୋଇଛି।

ମହିଳା ସଶକ୍ତିକରଣ, ଆର୍ଥିକ ବିକାଶ କ୍ଷେତ୍ରରେ ପଂଚାୟତରେ ତାଙ୍କ ସଂଘର୍ଷ ସଫଳତାକୁ ନେଇ ସିନେମା ତିଆରି ହୋଇଛି। ଏବେ ସେ ବିଜେଡିର କର୍ଯ୍ୟକର୍ତା ଭାବେ କାମ କରୁଛନ୍ତି। ବ୍ୟାଙ୍କ ଚାକିରୀ ଛାଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଆରତୀ ପଞ୍ଚାୟତର ବହୁ ଉନ୍ନତି କରିଛନ୍ତି।

ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଶ୍ରୀକାନ୍ତଙ୍କ ସ୍ଥାନରେ ତାଙ୍କୁ ପୋଲସରାରୁ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏମିତି ଅନେକ ବିବାଦୀୟ ସ୍ଥାନରେ ଦଳ ବିକଳ୍ପ ଭାବେ ମହିଳାଙ୍କୁ ପ୍ରାର୍ଥୀ କରିବା ଉପରେ ଚିନ୍ତା କରୁଥିବା କୁହାଯାଉଛି।

Comments are closed.