ପାନିପଥ: ଏଠି ଥିଲା ନିଆରା ପରିବେଶ । ବାହାଘରର ଆୟୋଜନ କରାଯାଇଥିଲା । ମନ୍ତ୍ର ପଢୁଥିଲେ ବ୍ରାହ୍ମଣ । ଏହାସହିତ ବିବାହାର ରୀତିନିତି ପାଳନ କରାଯାଉଥିଲା । ଲୋକମାନେ ବି ଏହି ବାହାଘରରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ତେବେ ଏହି ବିବାହ ଉତ୍ସବରେ ବର କି ବରବଧୁ ନ ଥିଲେ । ଏହା ସତସତିକା ବିବାହ ନ ଥିଲା । ଥିଲା ଗୋଟିଏ ବାଛୁରୀକୁ ବିବାହର ଆୟୋଜନ । କିଛି ସାମାଜିକ କର୍ମୀଙ୍କ ଉଦ୍ୟମରେ ଏହି ନିଆରା ବାହାଘରର ଆୟୋଜନ କରାଯାଇଥିଲା, ଯାହାର ମୂଳ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ହରିୟାଣାର ପାନିପଥ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମରେ ଅତିଷ୍ଠ ସହରବାସୀ । ଏଠାରେ ବୁଲା ଗାଈଗୋରୁଙ୍କ ଯୋଗୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏକଥା ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ ତାହାର ପ୍ରତିକାର ହେଉନାହିଁ । ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ନିଆରା ଢଙ୍ଗରେ ଏହି ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପାନିପଥ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ବୁଲା ବାଛୁରୀକୁ ଆଣି କିଛି ସାମାଜିକକର୍ମୀ ବିବାହ କରାଇଥିଲେ । ଏଥିରେ ସତସତିକା ବ୍ରାହ୍ମଣ ମନ୍ତ୍ରପାଠ କରିଥିଲେ । ବାଛୁରୀ ବେକରେ ଫୁଲମାଳ ପକାଇ ପ୍ରତିକାତ୍ମକ ଭାବରେ ବିବାହ କରି ପାନିପଥ ନିଗମ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
Comments are closed.