କଟକ: ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ । ଏଥିସହ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଏସ୍ସିବି ମେଡିକାଲ ଯାଇ ନୂତନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ଏଠାରେ ମୁଖ୍ୟମନ୍ତ୍ରୀ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରୁ କ୍ଲିନିକାଲ୍ ବ୍ଲକ୍-୧ ଓ ବ୍ଲକ୍ -୪ର ନିର୍ମାଣସ୍ଥଳ ପରିଦର୍ଶନରେ ଯାଇ କ୍ଷେତ୍ର ଉପରେ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସମୀକ୍ଷା କରିବେ ବୋଲି ଯୋଜନା ରହିଛି ।
ତେବେ ଏସସିବି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ରୋଗୀଙ୍କ ସମସ୍ୟା ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବାର ମଧ୍ୟ ଯୋଜନା ରହିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ତଳଚଞ୍ଚଳ ହୋଇପଡ଼ିଛି । କଟକଚଣ୍ଡୀ ମନ୍ଦିରରେ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଏସ୍ସିବିରେ କ୍ଲିନିକାଲ୍ ବ୍ଲକ୍-୧ କାର୍ଯ୍ୟକୁ ଆଗେଇ ନେବା ପାଇଁ ଠିକା ସଂସ୍ଥା ଦିନରାତି ଏକ କରି ଲାଗିପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସମୟରେ ପୂର୍ତ୍ତ ସଚିବଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ, ଓବିସିସର ବରିଷ୍ଠ ଅଧିକାରୀ, ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ସର୍ବୋଚ୍ଚ ଅଧିକାରୀ, ଆରଡିସି ଓ ଜିଲ୍ଲାପାଳ ଆଦି ଉପସ୍ଥିତ ରହିବେ ।

