Latest Odisha News

ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ! ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନାଁରେ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ । ଜଣେ ଖଣି ଲିଜଧାରୀଙ୍କ ଠାରୁ ଜିଲ୍ଲାପାଳ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୋଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଖଣି ଲିଜଧାରୀ ସୁଶାନ୍ତ କୁମାର ବରାଡ଼ଙ୍କ ଅଭିଯୋଗ ଅନୁସାରେ, ଜାନୁଆରୀ ୨୬ ତାରିଖରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ମାନ୍ଧାତା ମୟୂରଝାଲିଆ ମାଙ୍କଡା ପଥର ଖଣି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହିତ ବଜ୍ରକୋଟ ଗାଁର ଦିଲ୍ଲୀପ କୁମାର ସାମନ୍ତରାୟ, ଓସ୍ତାପଡ଼ାର ଦୀପକ କୁମାର ରାଉତରାୟ ଓ ଚମ୍ପାଗଡ଼ ଗ୍ରାମର ଗଣେଶ୍ଵର ମାନ୍ଧାତା ଯାଇଥିଲେ। ସେହି ସମୟରେ ଖଣି ଲିଜଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଜିଲ୍ଲାପାଳ ତାଙ୍କୁ ଲାଞ୍ଚ ମାଗିବା ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଚାନ୍ଦପୁର ଥାନା ପୋଲିସଠାରୁ କିଛି ସୁଫଳ ନମିଳିବାରୁ ସେ ନୟାଗଡ଼ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସେଠି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ତଦନ୍ତ କରିବାକୁ ଚାନ୍ଦପୁର ଥାନା ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଚାନ୍ଦପୁର ଥାନା ଅଧିକାରୀ ମୁକେଶ ବେହେରା । ତଦନ୍ତରେ ପ୍ରଥମେ ଅଭିଯୋଗକାରୀ ଓ ପରେ ଅନ୍ୟମାନଙ୍କୁ ପଚରାଉଚରା ସହ ଖଣିର ଲିଜ୍‌ ସମ୍ପର୍କରେ ତହସିଲଦାରଙ୍କୁ ପଚରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ସେ କହିଛନ୍ତି, ବେଆଇନ୍‌ ଭାବେ ଖଣି ଖନନ କରାଯାଉଥିଲା। ଏହାର ଯୁଗ୍ମ ତଦନ୍ତ କରାଯାଇ ୨ କୋଟି ୮୧ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଥିଲା। ସେହି ଫାଇନ୍‌କୁ ଡାଇଭର୍ଟ କରିବା ପାଇଁ ଏପରି ମିଛ ଅଭିଯୋଗ କରାଯାଇଛି ବୋଲି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଏଥିସହ ଜିଲ୍ଲାପାଳ ଆହୁରି କହିଛନ୍ତି, ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗଦେଇଥିଲି। ଅପରାହ୍ନରେ ଅଫିସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲି। ତାହାଛଡ଼ା ଖଣି ଅଞ୍ଚଳର କେଉଁଠି ମୁଁ ଜାଣିନାହିଁ କି ଅଭିଯୋଗକାରୀଙ୍କୁ ଜାଣିନାହିଁ।

Leave A Reply

Your email address will not be published.