Latest Odisha News

ଜାଲ୍ ସାର୍ଟିଫିକେଟ ମାମଲାରେ ଗଞ୍ଜାମର ୪ ଗିରଫ

ଗଞ୍ଜାମ: ଜାଲ୍ ସାର୍ଟିଫିକେଟ୍ ଦେବା ଅଭିଯୋଗରେ ଜଣେ ନିଲମ୍ବିତ ଶିକ୍ଷକ ଓ ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କୁ ସୋମବାର ଗଞ୍ଜାମ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଦୈତାରୀ ବେହେରା ଗଞ୍ଜାମ ଖଲ୍ଲିକୋଟର ନିଲମ୍ବିତ ଶିକ୍ଷକ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶିକ୍ଷା ବିଭାଗର ବହୁ ନକଲି ଓ କୌଣସି ନାମ ଲେଖାନଥିବା ସାର୍ଟିଫିକେଟ୍, ଲୋଗୋ, ପ୍ରିଣ୍ଟର, ଛଅଟି ସ୍ମାର୍ଟଫୋନ୍, ହୋଲୋଗ୍ରାମ୍ ଆଦି ଗିରଫ ବେଳେ ପୁଲିସ ଜବତ କରିଛି।

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଜାଲ୍ ସାର୍ଟିଫିକେଟ୍ ଯୋଗାଇ ଦେଇଥିବା ନେଇ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଦୈତାରୀ ବେହେରା ବି. ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆନ୍ଧ୍ରପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜକୁ ଲୋକଙ୍କୁ ନେଇ ଯାଉଥିଲେ। ଛାତ୍ରଛାତ୍ରୀମାନେ ଯୋଗ୍ୟତା ହାସଲ କରିନପାରିବାରୁ ସେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସାର୍ଟିଫିକେଟ୍ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଏଥିସହ ଦୈତାରୀ ବେହେରାଙ୍କ ନିର୍ଦ୍ଦେଶରେ ନକଲି ସାର୍ଟିଫିକେଟ୍ ଛାପିବା ଅଭିଯୋଗରେ ଢେଙ୍କାନାଳରେ ପ୍ରଶାନ୍ତ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି। ବିଭିନ୍ନ ଧାରାରେ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

ଉଲ୍ଲେଖଯୋଗ୍ଯ, ବଲାଙ୍ଗୀରରେ ଡାକଘର ନିଯୁକ୍ତି ସମୟରେ ଏହି ଫେକ୍ ସାର୍ଟିଫିକେଟ କାରବାର ସାମ୍ନାକୁ ଆସିଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏବେ ତଦନ୍ତ କରୁଛି। ଉତ୍ତର ପ୍ରଦେଶ ଯାଇ ତଦନ୍ତକାରୀ ଟିମ୍ ଯାଞ୍ଚ କରିବା ବେଳେ ଜଣାପଡିଛି ସେଠାକାର ବୋର୍ଡର କିଛି କର୍ମଚାରୀ ମଧ୍ୟ ଏହି ବେଆଇନ୍ କାରବାରରେ ସାମିଲ ଅଛନ୍ତି। ସେହିପରି ଶିକ୍ଷକ ନିଯୁକ୍ତିରେ ମଧ୍ୟ ଏହି ଜାଲ ସାର୍ଟିିଫିକେଟ କାରବାର ହୋଇଥିବା ଅଭିଯୋଗ ରହିଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ବିଇଓ ଓ ଡିଇଓ ମାନଙ୍କୁ ନିଜ ନିଜ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି।

Comments are closed.