Latest Odisha News

BREAKING NEWS

କେନ୍ଦ୍ରୀୟ ଫରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରିର ସହାୟତା ନେଇଛି। ଖଣ୍ଡଗିରି ପୁଲିସ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଘରୁ ୩ଟି ଫୋନ୍ ଜବତ କରିଥିଲା, ଯାହାକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଥିଲା। ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏସ୍ଏଫ୍ଏସ୍ଏଲ୍ ମୋବାଇଲ ଫୋନର ତଥ୍ୟ ଦେବାରେ ଅସମର୍ଥ ହେବାରୁ ଫୋନ୍ଗୁଡ଼ିକ ଏସଏଫ୍ଏସ୍ଏଲ୍କୁ ହସ୍ତାନ୍ତର କରିବାକୁ ଇଡି ଅନୁରୋଧ କରିଥିଲା।

ଏହାବାଦ ଅଭିଯୁକ୍ତମାନେ ଜେଲରେ ଥିବା ବେଳେ ସେମାନଙ୍କୁ ପଚରାଉଚରା କରିବା ପାଇଁ ଇଡି ଅନୁମତି ମାଗିଛି। ସେପଟେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ସୋମବାର କୋର୍ଟରେ ହାଜର ହୋଇ ନଥିବା ବେଳେ ନାଗ ଓ ତାଙ୍କ ସ୍ୱାମୀ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ପିଏମଏଲଏ ସ୍ପେଶାଲ କୋର୍ଟରେ ଦୁଇପକ୍ଷ ଓକିଲଙ୍କ ଭିତରେ କଥା କଟକଟି ହୋଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଅଶୋକ ଦାସ କୋର୍ଟରେ ତାଙ୍କ ମହକିଲଙ୍କ ପକ୍ଷ ରଖି କହିଛନ୍ତି, ଶ୍ରଦ୍ଧାଞ୍ଜଳିଙ୍କ ପକ୍ଷରୁ ସେ ନିଜେ କୋର୍ଟରେ ଉପସ୍ଥିତ ରହିବେ। ସେନେଇ କୋର୍ଟରେ ପିଟିସନ ଦାଖଲ କରାଯାଇଛି, ଏହା ଉପରେ ଶୁଣାଣି ମଙ୍ଗଳବାର ହେବ।

ଏପରିକି ଶ୍ରଦ୍ଧାଞ୍ଜଳି ବାରମ୍ବାର କୋର୍ଟର ନୋଟିସକୁ ଅବମାନନା କରି ହାଜର ହେଉ ନଥିବାରୁ ମଙ୍ଗଳବାର ସୁଦ୍ଧା ହାଜର ପାଇଁ କୁହାଯାଇଛି। ତେବେ ହାଜର ନହେଲେ ଖୁବଶୀଘ୍ର ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାର କରାଯିବ ବୋଲି ଜଣାପଡିଛି।

ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଖଣ୍ଡଗିରି ଥାନାରେ ସେମାନଙ୍କ ବିରୋଧରେ ବିଚାରାଧୀନ ମାମଲା ଥିବାରୁ ସେମାନେ ଏବେ ବି ଜେଲରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୨ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନା ନାଗଙ୍କୁ ହନିଟ୍ରାପ୍ କରି ହାଇପ୍ରୋଫାଇଲ୍ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଗତ ଅକ୍ଟୋବର ୧୭ ତାରିଖରେ ଭୁବନେଶ୍ୱର ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

ଗତ ଅକ୍ଟୋବର ୨୧ ତାରିଖରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଭୁବନେଶ୍ୱର ସତ୍ୟବିହାରସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା।

Comments are closed.