ଝାରସୁଗୁଡା: ସମ୍ବଲପୁର ହିଂସା, ପୁରୀ ଓ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲିଙ୍କ୍ ଭଳି ଘଟଣା ପରେ ବିଜେପି ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପ୍ରକାଶ କରିଛି। ବରଗଡ ସାଂସଦ ରାଜ୍ୟରେ ଉପସ୍ଥିତ ଥିବା ଦେଶ ବିରୋଧୀ ତତ୍ୱଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ ଲିଙ୍କ ନେଇ ଓଡିଶା ସରକାରଙ୍କ ଠାରୁ ଜବାବ ମାଗିଛନ୍ତି।
ବିଜେପି ଏହି ଘଟଣାରେ ଏନ୍ଆଇଏ ତଦନ୍ତ ଦାବି କରିବା ସହ ଆଇନ ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ଗୁଡ୍ଡୁ ମୁସଲିମ ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ସହଯୋଗୀ। ଯାହାର ମୃତ୍ୟୁର ବଦଲା ନେବ ବୋଲି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦା କହିଛି।
ବରଗଡ଼ ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ଯେ, ଗତ ଏପ୍ରିଲ ୧୨ ତାରିଖରେ ସମ୍ବଲପୁର ହିଂସାକାଣ୍ଡ ସମୟରେ ‘ଦେଶ ବିରୋଧୀ ନାରା’ ଦିଆଯାଇଥିଲା, ଯାହା ରାଜ୍ୟରେ ଦେଶ ବିରୋଧୀ ତତ୍ତ୍ୱଙ୍କ ଉପସ୍ଥିତିକୁ ସୂଚାଉଛି। ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ ମଧ୍ୟରେ ସମ୍ପର୍କ ଏବଂ ସେମାନଙ୍କୁ ଓଡ଼ିଶାରେ କିଏ ଆଶ୍ରୟ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ପ୍ରଦାନ କରିବା ସହ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତଦନ୍ତ ଦାୟିତ୍ୱ ନେବାକୁ ସୁରେଶ ପୂଜାରୀ ଦାବି କରିଛନ୍ତି।
ସୁରେଶ ପୂଜାରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଗୁଡ୍ଡୁ ମୁସଲିମ ପୁରୀ ଗସ୍ତ କରିଥିବାର ଖବର ରହିଛି। ଯାହା ଜଗନ୍ନାଥ ମନ୍ଦିର ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏଭଳି ବିପଦକୁ ପ୍ରତିହତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ତେବେ ଅଭିଯୋଗର ଜବାବରେ ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ବିଜେପି ୧୫ ବର୍ଷ ଧରି ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଆସୁଛି ଏବଂ ସରକାର ଆଇନ ଭାଙ୍ଗୁଥିବା କିମ୍ବା ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଓ ଆଇନକୁ ନିଜ କାମ କରିବାକୁ ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
Comments are closed.