Latest Odisha News

BREAKING NEWS

ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍‍ ଶ୍ରୀଭୂଷଣ ସାହୁ ଗିରଫ୍‍

ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଏତଲାକୁ ଆଧାର କରି ପୋଲିସ୍‍ ଆଇପିସି ଧାରା ୪୧୯, ୪୨୦ ଏବଂ ୬୬ରେ ମାମଲା ରୁଜୁ କରିଥିଲେ ଓ ଅଭିଯୁକ୍ତ ଗାଇସିଲେଟ ନିବାସୀ ସାକେତ ଶ୍ରୀଭୂଷଣ ସାହୁଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି ।

ପ୍ରକାଶଯୋଗ୍ୟ ଯେ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଆ ଭାଷା-ସାହିତ୍ୟର ଆଦ୍ୟବେଦ ଭାବେ ପରିଚିତ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ାହେଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍‍ ହୋଇଥିଲା । ‘କୋସଲିସାହିତ୍ୟ ଡଟ୍‍ ଇନ୍‍’ ନାମକ ଏକ ଫେସବୁକ୍‍ ପେଜ୍‍ରେ ‘କୋସଲରେ କୋସଲି ଚଲ୍‍ବା, ଉଡ଼ିଆ ନାଇଁ’ ଶୀର୍ଷକରେ ଏକ ୟୁଟ୍ୟୁବ ଭିଡ଼ିଓ ଲିଙ୍କ୍‍ ଦିଆଯାଇଥିଲା, ଯେଉଁ ଭିଡ଼ିଓରେ ‘ମଧୁ ବର୍ଣ୍ଣବୋଧ’ ପୁସ୍ତକକୁ ଜଳାଯିବାର ଦୁଃଖଦ ଦୃଶ୍ୟ ଥିଲା । ୩୭ ସେକେଣ୍ଡର ଏହି ଭିଡ଼ିଓଟି ‘ବେନି’ ନାମକ ଏକ ଚାନେଲରେ ଅପଲୋଡ କରାଯାଇଥିଲା । ଭିଡ଼ିଓଟି ଯଦିଓ ପ୍ରାୟ ବର୍ଷକ ତଳେ (୨୬ ଅଗଷ୍ଟ ୨୦୧୮ରେ) ୟୁଟ୍ୟୁବରେ ଛଡ଼ା ଯାଇଥିଲା, ସେଇ ଲିଙ୍କ୍‍ଟି ଗତକାଲି ହିଁ ଫେସବୁକରେ ଉକ୍ତ ପେଜ୍ ରେ ସେୟାର କରାଯାଇଥିଲା । ଫଳରେ ଏହା ସମସ୍ତଙ୍କ ନଜରକୁ ଆସିଥିଲା । ଏହାପରେ ଫେସବୁକରେ ଥିବା ଶତାଧିକ ଲେଖକ-ବୁଦ୍ଧିଜୀବୀ ଏବଂ ଓଡ଼ିଆ ଜନସାଧାରଣ ଘଟଣାର ଦୃଢ଼ ପ୍ରତିବାଦ କରିଥିଲେ ଓ ଅଭିଯୁକ୍ତକୁ ତୁରନ୍ତ ଆଇନ୍‍ର କାଠଗଡ଼ାକୁ ଆଣିବା ପାଇଁ ଦାବି କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ‘କୋସଲିସାହିତ୍ୟ ଡଟ୍‍ ଇନ୍‍’ ଫେସବୁକ୍‍ ପେଜ୍‍ର ପ୍ରୋଫାଇଲ୍‍ ପିକ୍‍ଚରରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ରଖା ଯାଇଥିଲା । ଫଳରେ ଏଭଳି ଘଟଣାରେ ଶ୍ରୀ ନାଗଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର୍‍ ଧରିଥିଲା । ଏ ବିଷୟରେ ତାଙ୍କୁ ଫୋନ୍‍ ଯୋଗେ ଜଣାଇବା ପରେ ସେ ପ୍ରଥମେ ମନ୍ତ୍ରୀଙ୍କ ପାଖରେ ଅଛନ୍ତି ଓ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ପରେ ଫେସବୁକରେ ତାଙ୍କର ଏକ ଭିଡ଼ିଓ ବାର୍ତ୍ତା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ କହିଥିଲେ ଯେ ଓଡ଼ିଆ ବର୍ଣ୍ଣବୋଧ ପୋଡ଼ାହେବା ବିଷୟରେ ସେ କିଛି ଜାଣିନାହାନ୍ତି । ତାଙ୍କ ଫଟୋ ବ୍ୟବହାର କରି ଯେଉଁମାନେ ବର୍ଣ୍ଣବୋଧ ପୋଡ଼ିଛନ୍ତି, ସେମାନଙ୍କୁ ସେ ଧିକ୍କାର କରୁଛନ୍ତି, ନିନ୍ଦା କରୁଛନ୍ତି । ଫେସବୁକ୍‍ କଣ ସେ ଜାଣନ୍ତିନାହିଁ ।

ପ୍ରକାଶଯୋଗ୍ୟ ଯେ କିଛି ବର୍ଷ ଧରି ଓଡ଼ିଶାର ପଶ୍ଚିମାଞ୍ଚଳରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଓ ଭାଷାକୁ ସ୍ୱୀକୃତି ଦେବା ପାଇଁ ଆନ୍ଦୋଳନ ହୋଇ ଆସୁଛି । ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ସମୟରେ ବାଦବିବାଦ ଓ ବିତର୍କ ସୃଷ୍ଟି ହେଉଛି । କିଛି ଫେସବୁକ୍‍ ଗ୍ରୁପ୍‍ ଉପକୂଳବାସୀ (ସେମାନଙ୍କ ଭାଷାରେ ‘କଟକିଆ’)ମାନଙ୍କୁ ଟାର୍ଗେଟ୍‍ କରି ନାନାପ୍ରକାର ହେତୁହୀନ ଅଭିଯୋଗ ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ମର୍ମରେ ନିକଟରେ ଓଡ଼ିଶାର ସରକାରୀ ଭାଷା ଭାବେ ସ୍ୱୀକୃତି ପାଇଥିବା ‘ଓଡ଼ିଆ ଭାଷା’କୁ ମଧ୍ୟ ସେମାନେ ବାଦ୍‍ ଦେଇନାହାନ୍ତି । ଶେଷରେ ଏହି ଭାଷାର ମୂଳଦୁଆ ପକାଇଥିବା ‘ମଧୁ ବର୍ଣ୍ଣବୋଧ’କୁ ପୋଡ଼ି ସେମାନେ ନିଜ ଅପରିଣାମଦର୍ଶିତାର ପରିଚୟ ଦେଇଛନ୍ତି । କତିପୟ ନ୍ୟସ୍ତସ୍ୱାର୍ଥଗୋଷ୍ଠୀଙ୍କର ଏପରି ହୀନମନ୍ୟତା ସମଗ୍ର ଓଡ଼ିଶାବାସୀଙ୍କୁ ଚକିତ ଓ ମର୍ମାହତ କରିଛି ।

ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଲେଖକଲେଖିକା, ବୁଦ୍ଧିଜୀବୀ ଓ ଜନସାଧାରଣ ନିଜନିଜ ପୋଷ୍ଟ ଓ କମେଣ୍ଟରେ ବିଗତ ଦୁଇ ଦିନ ଧରି ଲଗାତାର ପ୍ରତିବାଦ କରିବା ପରେ ଆଜି ‘କୋସଲିସାହିତ୍ୟ ଡଟ୍‍ ଇନ୍‍’ରୁ ଉକ୍ତ ବିବାଦୀୟ ଲିଙ୍କ୍‍ ସହ ୟୁଟ୍ୟୁବରୁ ଉକ୍ତ ଭିଡ଼ିଓଟି ଡିଲିଟ୍‍ କରିଦିଆଯାଇଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁୁ ଅଗଣିତ ଓଡ଼ିଆ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.