Latest Odisha News

BREAKING NEWS

‘ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ’

କଟକ: ୨୦୨୪ ସୁଦ୍ଧା ଓଡ଼ିଶାକୁ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀ ବା ଓସିଏ ଯେଉଁ ଆଭିମୁଖ୍ୟ ରଖିଛି ତାକୁ ପୂରଣ କରିବା ଦିଗରେ ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ କୋଚ। କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ଦିନେଶ ମୋଙ୍ଗିଆ। ସମସ୍ତ ପ୍ରକାର ଆହ୍ୱାନକୁ ମୁକାବିଲା କରିବା ପାଇଁ ସେ ପ୍ରସ୍ତୁତ, ଆଗକୁ ବଢ଼ିବା ପାଇଁ ଓସିଏ ପାଖରେ ସମସ୍ତ ପ୍ରକାର ସମ୍ଭଳ ରହିଛି ବୋଲି ମୋଙ୍ଗିଆ କହିଛନ୍ତି। ଓଡିଶାରେ କ୍ରିକେଟରଙ୍କ ନିକଟରେ ଭରପୂର ଦକ୍ଷତା ରହିଛି। ଦଳ ଆଗାମୀ ଦିନରେ ଘରୋଇ କ୍ରିକେଟରେ ସୁନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କର ଭୂମିକା ହେଉଛି ଖେଳାଳିଙ୍କୁ ନିଜ ଦକ୍ଷତା ଅନୁସାରେ ପ୍ରସ୍ତୁତ କରିବା, ମାର୍ଗଦର୍ଶନ କରିବା ଓ ଅନୁପ୍ରାଣିତ କରିବା। ଏହି ଭୂମିକାକୁ ସେ ସଠିକ୍ ଭାବେ ତୁଲାଇବେ ଏବଂ ଖେଳୁଆଡ ମନୋଭାବର ଏକ ବାତାବାରଣ ତିଆରି କରିବେ ବୋଲି କହିଛନ୍ତି।

ଓଡ଼ିଶାରେ ପ୍ରତିଭାର  ଅଭାବ ନାହିଁ ହେଲେ ଯୁବ ଖେଳାଳିଙ୍କୁ ଆବଶ୍ୟକ ଯତ୍ନ ନେବା ସହ ସଠିକ ରାସ୍ତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ନୂଆ ମୁଖ୍ୟ କୋଚ୍ କହିଛନ୍ତି। ଓଡ଼ିଶାରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳଙ୍କ ଭଳି ଖେଳାଳି ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ବେଳେ ଦେଶ ପାଇଁ ଦେବାଶିଷଙ୍କ ଉଲ୍ଲେଖନୀୟ ସଫଳତାକୁ ମୋଙ୍ଗିଆ ଏହି ଅବସରରେ ମନେ ପକାଇଥିଲେ।

ମୋଙ୍ଗିଆଙ୍କ ମନରେ ଓଡ଼ିଶାର ସ୍ମୃତି ରହିଛି, ସେ ଓଡ଼ିଶାରେ ଇଂଲଣ୍ଡ ବିପକ୍ଷରେ ନିଜର ଅନ୍ୟତମ ଶ୍ରେଷ୍ଠ ଇନିଂସ ମଧ୍ୟ ଖେଳିଥିଲେ। ପୂର୍ବରୁ ସେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ଆଲୋଚନା କରି ସଙ୍ଘର ଆଭିମୁଖ୍ୟରେ ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି।

ବିଗତ ବର୍ଷଗୁଡ଼ିକରେ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବହୁ ଅନ୍ତର୍ଜାତୀୟ କ୍ରିକେଟରଙ୍କ କାର୍ଯ୍ଯକାଳ ପୂରଣ ହୋଇନଥିଲେ ମଧ୍ୟ ମୋଙ୍ଗିଆ କେବଳ ନିଜର କାର୍ଯ୍ୟକାଳ ପୂରଣ କରିବାକୁ ଚାହାନ୍ତି ନାହିଁ ବରଂ ତାଙ୍କ ଅବଧିରେ ଅନେକ କିଛି ସଫଳତା ଓଡ଼ିଶା କ୍ରିକେଟ ପାଉ ବୋଲି ସେ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ,  ଦିନେଶ ମୋଙ୍ଗିଆ ବିଜେପିର ସଦସ୍ୟ ମଧ୍ୟ। ସେ କିନ୍ତୁ ରାଜନୀତିକୁ ଅଧିକ ସମୟ ଦେଉନାହାନ୍ତି, ତାଙ୍କର ପ୍ରାଥମିକତା କ୍ରିକେଟ ବୋଲି ସୂଚନା ରହିଛି।

Comments are closed.