Latest Odisha News

ନୂଆ ପିସିସି କମିଟିକୁ ନେଇ ବାହିନୀପତିଙ୍କ ପରେ ସୁର ଜାହିର କଲେ ଅସନ୍ତୋଷ ପ୍ରକାଶ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ କମିଟି ନୂଆ ଟିମ୍ ଗଠନ କରିଛି। କିନ୍ତୁ ଏହି ନୂଆ ଟିମରେ ଏବେ ମୁହଁ ଫୁଲାଉଥିବା ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅଧୀର ରଞ୍ଜନ ପାଣିଗ୍ରାହୀଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଗୁରୁବାର ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୁରେଶ ରାଉତରାୟ କହିଛନ୍ତି ଯେ କମିଟିରେ ଅନେକ ଅଯୋଗ୍ୟ ବ୍ୟକ୍ତି ପ୍ରମୁଖ ପଦପଦବୀରେ ଅଛନ୍ତି, ସେ ତାଙ୍କ ଅସନ୍ତୋଷ ସମ୍ପର୍କରେ ଦଳୀୟ ସଭାପତିଙ୍କୁ ଅବଗତ କରାଇ ସାରିଛନ୍ତି। ପଦାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା କିଛି ନାମକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚଳିତ ସପ୍ତାହ ଆରମ୍ଭରେ ପିସିସି ପଦାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ନୂୂଆ ତାଲିକାରେ ଦଳର ଅନ୍ୟତମ ରାଜ୍ୟ ଉପସଭାପତି ଭାବେ ତାଙ୍କର ନାମ ଥିଲେ ମଧ୍ୟ ବାହିନୀପତି ସ୍ପଷ୍ଟ କରିଦେଇଥିଲେ ଯେ ସେ କୌଣସି ପଦପଦବୀରେ ରହିବାକୁ ଚାହୁଁନାହାନ୍ତି ଏବଂ କେବଳ ନିଜ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ ଚାହୁଁଛନ୍ତି।

ସେ କହିଛନ୍ତି, ମୁଁ କେବେ ବି କଂଗ୍ରେସ ଦଳର କାହାକୁ ଉପସଭାପତି ହେବା ପାଇଁ କହିନାହିଁ। ମୁଁ ଦୟାଳୁ ମଣିଷ ହେବାକୁ ଚାହେଁ ନାହିଁ। ମୁଁ ଆତ୍ମନିର୍ଭରଶୀଳ ଏବଂ ନିଜ କାମ ନିଜେ କରିପାରିବି। ମୋତେ ମୋ ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ ଭରପୁର ସମୟ ମିଳେ ନାହିଁ। ଯଦି ମୁଁ କୌଣସି ପଦବୀରେ ବସିବି, ତା’ହେଲେ ନିଜ ଏରିଆରେ କାମ କରିବା ଆହୁରି କଷ୍ଟକର ହୋଇପଡ଼ିବ ବୋଲି ବାହିନୀପତି କହିଥିଲେ।

ସୂଚନାୟୋଗ୍ୟ, ପିସିସି କମିଟିର ପଦାଧିକାରୀ ନିଯୁକ୍ତିକୁ ସୋମବାର କଂଗ୍ରେସ ଅଧ୍ୟକ୍ଷ ଅନୁମୋଦନ ଦେଇଥିଲେ। ଏହି ତାଲିକାରେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପସଭାପତି, ୩୯ ଜଣ ସାଧାରଣ ସମ୍ପାଦକଙ୍କୁ ସାମିଲ କରାଯାଇଛି। ପ୍ରାର୍ଥୀ ଚୟନକୁ ନେଇ ଯେଉଁ ଭିନ୍ନ ମତ ପ୍ରକାଶ ପାଉଛି, ତାହା ଦଳୀୟ କନ୍ଦଳକୁ ଆହୁରି ତୀବ୍ର କରୁଛି।

ତେବେ ଦଳକୁ ଆଗକୁ ନେବା ପାଇଁ କଂଗ୍ରେସ ଯେଉଁ ମଞ୍ଚ ତିଆରି କରିଛି ଏଥିରେ ଯଦି ଅସନ୍ତୋଷଙ୍କ ସଂଖ୍ୟା ବଢିଚାଲିବ ତାହେଲେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଭାଡି ଯେ ନଭୁଶୁଡି ପଡ଼ିବ ତାହା କିଏ ବା କହିବ?

Comments are closed.