Latest Odisha News

BREAKING NEWS

ଇନ୍ଦିରାଙ୍କୁ ଟାଣିଲେ ପ୍ରିୟଙ୍କା, ଖେଳିଲେ ଇମୋସନାଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକର ଚିକମାଗାଲୁରରେ ପ୍ରିୟଙ୍କାଙ୍କ ଇମୋସନାଲ କାର୍ଡ। ୧୯୭୮ ମସିହାରେ ସେହି ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ସଭାକୁ ଏବେର ସଭା ସହ ଯୋଡିଛନ୍ତି ପ୍ରିୟଙ୍କା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଭଳି କିଛି ସଂଯୋଗ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା କର୍ଣ୍ଣାଟକବାସୀଙ୍କ ସହ କଂଗ୍ରେସକୁ ଯୋଡିବାକୁ ଉଦ୍ୟମ କରିଛନ୍ତି।

ଇନ୍ଦିରା ଗାନ୍ଧୀ ନିଜର ସଂଘର୍ଷମୟ ସମୟରେ କର୍ଣ୍ଣାଟକ ଆସିଥିଲେ ଓ କର୍ଣ୍ଣାଟକବାସୀ ତାଙ୍କୁ ସମର୍ଥନ ଦେଇଥିଲେ ବୋଲି କହିଛନ୍ତି ପ୍ରିୟଙ୍କା। ଏପରିକି ତାଙ୍କ ବାପା ରାଜୀବ ଗାନ୍ଧୀ ମଧ୍ୟ କର୍ଣ୍ଣାଟକ ଆସିବା ସହ ଲୋକଙ୍କ ଭଲ ପାଇବା ପାଇଥିବା ସେ କହିଛନ୍ତି।

ସେଦିନ ଇନ୍ଦିରା ଗାନ୍ଧୀ କର୍ଣ୍ଣାଟକ ଲୋକଙ୍କୁ ଭାଷଣ ଦେଉଥିଲେ ଏବେ ପ୍ରିୟଙ୍କା ଲୋକଙ୍କ ସମ୍ମୁଖରେ ନିର୍ବାଚନୀ ଭାଷଣ ଦେଇଛନ୍ତି। ଏଭଳି ଢଙ୍ଗରେ କର୍ଣ୍ଣାଟକର ଚିକମାଗାଲୁରରେ ଇମୋସନାଲ କାର୍ଡ ଖେଳିଛନ୍ତି ପ୍ରିୟଙ୍କା।

ସେଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଲୋକଙ୍କ ସମ୍ମୁଖରେ ସେ ସମୟ ସହିତ ଏ ସମୟକୁ ଯୋଡିବାକୁ ଉଦ୍ୟମ କରିଛନ୍ତି ପ୍ରିୟଙ୍କା। ୧୯୭୮ ମସିହାରେ ଇନ୍ଦିରା ଗାନ୍ଧୀ ବହୁ ଅସୁବିଧା ଦେଇ ଗତି କରୁଥିବା ବେଳେ କର୍ଣ୍ଣାଟକବାସୀ ତାଙ୍କୁ ସହଯୋଗର ହାତ ବଢାଇଥିଲେ।

ଏବେ ସେଭଳି ବିପଦର ସମ୍ମୁଖୀନ ହୋଇଥିବା ରାହୁଲ ଓ କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀ ସହଯୋଗର ହାତ ବଢାଇବେ ବୋଲି ସେ କହିଛନ୍ତି। ଇନ୍ଦିରା ଗାନ୍ଧୀ ନିଜର ସଂଘର୍ଷ ବେଳେ ଚିକମାଗାଲୁରରେ ସଭା କରିବା ସମୟରେ ଆକାଶରେ ମେଘ ଆସିଥିଲା ଓ ଏବେ ମେଘ ଆସିଲା। ଏହା ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ପ୍ରିୟଙ୍କା।

ଯାହାକୁ ନେଇ ସଭାରେ ଲୋକଙ୍କ ତାଳି ଦେଖିବାକୁ ମିଳିଥିଲା। ଏଭଳି ଢଙ୍ଗରେ ଲୋକଙ୍କ ଭାବାବେଗ ସହ ଗାନ୍ଧୀ ପରିବାର ଓ କଂଗ୍ରେସକୁ ଯୋଡିବାର ପ୍ରୟାସ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

ଇନ୍ଦିରାଙ୍କ ବିରୋଧରେ ସେତେବେଳେ ମାମଲା ରୁଜୁ ହେବା ସହ ତାଙ୍କୁ ସଂସଦରୁ ବାହାର କରାଯାଇଥିଲା। ସେତେବେଳେ କର୍ଣ୍ଣାଟକବାସୀ ତାଙ୍କ ସହ ଛିଡା ହୋଇଥିଲେ। ଆଜି ମଧ୍ୟ ରାହୁଲଙ୍କ ବିରୋଧରେ ମିଛ ମାମଲା କରାଯାଇ ତାଙ୍କୁ ସଂସଦ ସଦସ୍ୟ ପଦରୁ ବାହାର କରାଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି। ଇନ୍ଦିରାଙ୍କ ସାଥ ଦେବା ଭଳି କର୍ଣ୍ଣାଟକବାସୀ ରାହୁଲଙ୍କ ସାଥ ଦେବେ ବୋଲି ଦୃଢ଼ ବିଶ୍ୱାସ ରଖିଥିବା କହିଛନ୍ତି ପ୍ରିୟଙ୍କା।

ଏପରିକି ସତ୍ୟର ଲଢେଇ ଲଢ଼ୁଥିବାରୁ ଭଗବାନ ଶିବ କଂଗ୍ରେସର ସାଥ ଦେବେ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ନିର୍ବାଚନ ମଧ୍ୟ ସତ୍ୟ ଓ ସଂଘର୍ଷର ଲଢେଇ ବୋଲି ପ୍ରିୟଙ୍କା କହିଛନ୍ତି। ଏପରିକି ବିଶ୍ୱାସ ରଖିବା ଓ ଭାଙ୍ଗିବାକୁ ନେଇ ସେ କଂଗ୍ରେସ ଓ ବିଜେପି ଭିତରେ ତୁଳନାତ୍ମକ ଚିତ୍ର ଦେଇଛନ୍ତି।

ଇନ୍ଦିରା ଗାନ୍ଧୀ ତାଙ୍କ ବିଶ୍ୱାସ ରଖିଥିଲେ ସେଥିପାଇଁ କର୍ଣ୍ଣାଟକବାସୀ ତାଙ୍କୁ ବିଶ୍ୱାସ କରୁଛନ୍ତି କିନ୍ତୁ ବିଜେପି ବାରମ୍ବାର କର୍ଣ୍ଣାଟକ ଲୋକଙ୍କର ବିଶ୍ୱାସ ଭାଙ୍ଗିଚାଲିଛି ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା। ପ୍ରିୟଙ୍କାଙ୍କ ଏଭଳି ଭାବାତ୍ମକ କାର୍ଡ କର୍ଣ୍ଣାଟକବାସୀଙ୍କୁ କେତେ ପ୍ରଭାବିତ କରିବ ତା ଉପରେ ନଜର।

Comments are closed.