Latest Odisha News

BREAKING NEWS

ରାତି ଅଧରେ ପୁଲିସ ଆକ୍ରମଣ! କ୍ୟାମେରା ସାମ୍ନାରେ କାନ୍ଦିଲେ ବିନେଶ, ଗୃହମନ୍ତ୍ରୀଙ୍କୁ ଅଭିଯୋଗ

ନୂଆଦିଲ୍ଲୀ: କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଗତ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା କୁସ୍ତି ଯୋଦ୍ଧାମାନେ ନାନା ହଇରାଣ ହରକତ ହେଉଛନ୍ତି। ତେବେ ବୁଧବାର ରାତିରେ ପୁଲିସ ତାଙ୍କ ଉପରେ ଆକ୍ରମଣ କରିଛି ବୋଲି ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍ ଅଭିଯୋଗ କରିଛନ୍ତି। ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଏହି ଚିଠିରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଘଟଣା ସମ୍ପର୍କରେ ସବୁକିଛି ତଥ୍ୟ ଦିଆଯିବା ସହ ଗୃହମନ୍ତ୍ରୀଙ୍କ ସାମ୍ନାରେ ୪ ଦାବି ରଖାଯାଇଛି।  ଏଥିରେ ଆନ୍ଦୋଳ କରିବାକୁ ଆବଶ୍ୟକ ସାମଗ୍ରୀ ଆଣିବାକୁ ଅନୁମତି ଦେବାକୁ ମଧ୍ୟ ଦାବି କରାଯାଇଛି।

ଦିଲ୍ଲୀ ପୁଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ମହିଳା କୁସ୍ତି ଯୋଦ୍ଧାଙ୍କୁ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଚିଠିରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗାଟଙ୍କ ଦସ୍ତଖତ ବି ରହିଛି।

ଚିଠିରେ ହୋଇଥିବା ଅଭିଯୋଗ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଏସ୍‌ପି ଧର୍ମେନ୍ଦ୍ର ୧୦୦ ପୁଲିସ କର୍ମୀଙ୍କୁ ସାଙ୍ଗରେ ଧରି ରେସଲରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଦୁଷ୍ୟନ୍ତ ଫୋଗାଟ ଓ ରାହୁଲ ଯାଦବଙ୍କର ମୁଣ୍ଡ ଫାଟିଯାଇଛି। ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କିଛି ଆବଶ୍ୟକୀୟ ସାମଗ୍ରୀ ଧାରଣା ସ୍ଥଳକୁ ଆଣିବାକୁ ଅନୁମତି ମାଗିଛନ୍ତି ରେସ୍‌ଲର। ଏଥିରେ ୱାଟରପ୍ରୁଫ୍ ଟେଣ୍ଟ, ମଜଭୁତ ଷ୍ଟେଜ୍, ପଲଙ୍କ, ସାଉଣ୍ଡ ସିଷ୍ଟମ, ଗଦି ଓ କୁସ୍ତି ମେଟ୍ ଓ ଜିମ୍‌ର ସାମଗ୍ରୀ ରହିଛି।

କୁସ୍ତି ଯୋଦ୍ଧା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି  “ଆମେ ଅଲିମ୍ପିକ ଖେଳାଳି ନିଜର ଦାବି ନେଇ ଗତ ୧୧ ଦିନ ହେଲା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛୁ। କିନ୍ତୁ ମେ ୩ ତାରିଖ ରାତି ୧୧ଟା ବେଳେ ଆମେ ଯେତେବେଳେ ଆମର ରାତ୍ରି  ବିଶ୍ରାମ ବ୍ୟବସ୍ଥା କରୁଥିଲୁ ସେତେବେଳେ ପୁଲିସ ଏସ୍‌ପି ୧୦୦ ପୁଲିସ କର୍ମୀଙ୍କ ସହ ଆମ ଉପରେ ଆକ୍ରମଣ କଲେ।

ଏଥିରେ ଦୁଷ୍ୟନ୍ତ ଫୋଗାଟ ଓ ରାହୁଲ ଯାଦବଙ୍କ ମୁଣ୍ଡ ଫଟାଇ ଦିଆଗଲା। ଏଥିସହିତ ଅଧିକାରୀ ବିନେଶ ଫୋଗାଟଙ୍କୁ ଅସଭ୍ୟ ଭାଷାରେ ଗାଳି ବି କରିଛନ୍ତି। ସେହିପରି ସାକ୍ଷୀ ମଲ୍ଲିକ ଓ ସଂଗୀତା ଫୋଗାଟ୍‌ଙ୍କୁ ପୁରୁଷ ଅଧିକାରୀମାନେ ଧକ୍କା ମାରିଛନ୍ତି।”

ଖେଳାଳିଙ୍କ ପ୍ରମୁଖ ଦାବି

୧. ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।
୨.ଧାରଣ ସ୍ଥଳରେ ଆମର ସର୍ବନିମ୍ନ ଜରୁରୀ ସାମଗ୍ରୀ ଯଥା ୱାଟରପ୍ରୁଫ୍ ଟେଣ୍ଟ, ମଜଭୁତ ଷ୍ଟେଜ୍, ପଲଙ୍କ,ସାଉଣ୍ଡ ସିଷ୍ଟମ, ଗଦ୍ଦି ଓ ପ୍ରାକ୍ଟିସ୍  ପାଇଁ କୁସ୍ତି ମେଟ୍ ଓ ଜିମ୍‌ ସାମଗ୍ରୀ ଆଣିବାକୁ ଅନୁମତି ଦିଆଯାଉ।
୩. ଅନ୍ୟ ସ୍ଥାନରୁ ପୁଲିସ ଅଟକ ରଖିଥିବା ଆମ ସାଥିମାନଙ୍କୁ ତୁରନ୍ତ ଛାଡ଼ି ଦେଉ।
୪. ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ।

ଅନ୍ୟପଟେ କଂଗ୍ରେସ କୁସ୍ତି ଯୋଦ୍ଧାଙ୍କୁ ସାହସ ଦେଇଛି। କଂଗ୍ରେସ୍ ଟ୍ୱିଟ୍ କରି କହିଛି ଯେ ଇଏ ଆମ ଦେଶର ଝିଅମାନେ। ଆମ ଦେଶର ଟେକ ରଖିବା ସହ ଆମକୁ ଅନେକ ମେଡାଲ ଆଣି ଦେଇଛନ୍ତି। ହେଲେ ଆଜି ଏମାନଙ୍କ ସହ ଗୃହମନ୍ତ୍ରୀଙ୍କ ପୁଲିସ ଅଭଦ୍ର ବ୍ୟବହାର କରୁଛି। ଏମାନଙ୍କର ଭୁଲ୍ ଏହା ଯେ ଏମାନେ ଶୋଷଣ ବିରୋଧରେ ସ୍ୱର ଉଠାଉଛନ୍ତି।

Comments are closed.