Latest Odisha News

BREAKING NEWS

‘ଏକନାଥ ସିନ୍ଦେ’, ନିଜେ ବୁଡୁଛନ୍ତି ବିଜେପିକୁ ବି ବୁଡେଇବେ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚର୍ଚ୍ଚା। କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ ସିନ୍ଦେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ମହାରାଷ୍ଟ୍ରରେ ବଦଳୁଥିବା ରାଜନୈତିକ ସମିକରଣ ଅନୁଯାୟୀ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପଦ କେତେବେଳେ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିଜେପି ସିନ୍ଦେଙ୍କ ହାତ ଛାଡ଼ିଦେବା ନେଇ କେବେଠୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏଭଳି ସ୍ଥିତିରେ କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଶେଷ ଭାଗରେ ବିଜେପି ପାଇଁ ସିନ୍ଦେ ପ୍ରଚାର କରିବାକୁ ଆସୁଛନ୍ତି। ସୋମବାର ଦିନ ସେ ପ୍ରଚାରକୁ ଓଲ୍ହାଇବେ। କର୍ଣ୍ଣାଟକର କାପୁ ଓ ଉଡୁପି ସହରରେ ବିଜେପିର ରୋଡ଼ ଶୋରେ ସିନ୍ଦେ ଉପସ୍ଥିତ ରହି ପ୍ରଚାର କରିବେ ବୋଲି କୁହାଯାଉଛି।

ଉଡୁପିରେ ପହଂଚିବା ପୂର୍ବରୁ ସିନ୍ଦେ ଶ୍ରୀ ମଂଜୁନାଥ ସ୍ୱାମୀ ମନ୍ଦିର ପରିଦର୍ଶନ କରିବା ସହ ଧର୍ମସ୍ଥଳ ମନ୍ଦିରର ଧର୍ମଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସିନ୍ଦେ ଉଡୁପିର ଶ୍ରୀକୃଷ୍ଣ ମନ୍ଦିର ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ପକ୍ଷରୁ ଆୟୋଜିତ ରୋଡ଼ ଶୋରେ ଉପସ୍ଥିତ ରହି ବିଜେପି ପାଇଁ ସିନ୍ଦେ ଜୋରଦାର ପ୍ରଚାର କରିବେ। ଏହାକୁ ନେଇ କର୍ଣ୍ଣାଟକ ସମେତ ମହାରଷ୍ଟ୍ରରେ ମଧ୍ୟ ଜୋରଦାର ଚର୍ଚ୍ଚା।

ମହାରଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ସିନ୍ଦେଙ୍କ ଆସନ ଟଳମଳ ବୋଲି କୁହାଯାଉଛି। ଏପରିକି ଖୁବଶୀଘ୍ର ମହାରାଷ୍ଟ୍ରରେ ସିନ୍ଦେ ବିଜେପି ସରକାର ଭାଙ୍ଗିଯିବ ବୋଲି ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ କହିଛନ୍ତି।

ସରକାରର ଡେଥ ୱାରେଣ୍ଟ ଜାରି ହୋଇସାରିଛି ବୋଲି ସେ କହିବା ସହ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇଛି। ଏପରିକି ମହାରାଷ୍ଟ୍ରରେ ବିଜେପିର ଫଡନାଭିଶ ଓ ଏନସିପିର ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରି ମହାରାଷ୍ଟ୍ର ରେ ପୋଷ୍ଟର ମଧ୍ୟ ଲାଗିଛି।

ଏଭଳି ସ୍ଥିତିରେ କର୍ଣ୍ଣାଟକରେ ସିନ୍ଦେଙ୍କ ବିଜେପି ପାଇଁ ପ୍ରଚାର ରାଜନୈତିକ ଚର୍ଚ୍ଚାକୁ ରୋଚକ କରିଛି।

Comments are closed.