ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୭
ଗୋଟିଏ ବିଶେଷ ବର୍ଗ ତଥା କିଛି ବିଶେଷ ବ୍ୟାଙ୍କ କର୍ମଚାରୀଙ୍କୁ ଆଧାର କରି ଏଇ ଲେଖାଟି ଲିଖିତ।
ପ୍ରଥମରୁ ଗୋଟିଏ ସ୍ପଷ୍ଟୀକରଣ।
ସବୁ ବୃତ୍ତିରେ କିଛି ନା କିଛି ମାଙ୍କଡାମୀ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ରହିଥାଏ। ତେଣୁ ଏହାକୁ ନେଇ “ତିଳ କୁ ତାଳ” ନ୍ୟାୟ କଦାପି ସୁନ୍ଦର ନ ଯୋଗାଇ।
ତେଣୁ ଏହାକୁ ପାଠ କରିବା ପରେ ଏହି ଭଳି କିଛି ସହକର୍ମୀ ଯେ ସେମାନଙ୍କ ସହିତ ଏକଦା ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ, ଅତୀତର ସେଇ କଥାକୁ ନେଇ ଆଜି କେହି ଯେମିତି ନିଜକୁ ଆହତ ବା ଅପମାନିତ ମନେ ନକରନ୍ତି।
ଏହା ଛଡା ନିହାତି ବ୍ୟକ୍ତିପରକ ଭାବରେ କୁହାଯିବ ଯେ ଉପସ୍ଥିତ ଲେଖକ ଜନୈକା ବ୍ୟାଙ୍କ କର୍ମଚାରୀଙ୍କ ସହିତ (ସଂପ୍ରତି ଅବସରବାସରେ,ମାତ୍ର ବ୍ୟାଙ୍କ କର୍ମଚାରୀମାନେ ଯେ କେବେ ବାସ୍ତବରେ ଅବସରଗ୍ରହଣ କରିଥାନ୍ତି ଏହାକୁ ନେଇ ଉପସ୍ଥିତ ଲେଖକର ଘୋର ସନ୍ଦେହ ରହିଛି ! ଦୀର୍ଘ ଚାରି ଦଶନ୍ଧୀ ଧରି ଏକତ୍ର ବସବାସ କରିଆସିଛି। ତେଣୁ ସେ ଏଠାରେ ଏମିତି କିଛି ଲେଖିବ ନାହିଁ ଯାହା ତା’ ପାଇଁ ପଛନ୍ତେ ଏକ ତ୍ୱରିତ ଅନର୍ଥକ ଗୃହଯୁଦ୍ଧର ପୃଷ୍ଟଭୂମି ସୃଷ୍ଟି କରିପାରେ।
ସେ ଯାହାହେଉ ଏଇ ବିଶେଷ ବ୍ୟାଙ୍କ କର୍ମଚାରୀଙ୍କର ଆଉ ଯାହା ଯୋଗ୍ୟତା ଥାଉନା ହେଉନା କାହିଁକି ସେମାନଙ୍କର ଦାନ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା । ଆଉ କହିବାକୁ ଗଲେ ସେମାନଙ୍କର ଏହି ଦନ୍ତ-ଯୋଗ୍ୟତା ଆଧାରରେ ହିଁ ସେମାନଙ୍କୁ ବ୍ୟାଙ୍କ କର୍ମରେ ନିୟୋଜିତ କରାଯାଉଥିଲା।
୧୯୩୨ ସାଲର କଥା।
ସେତେବେଳେ ଯାହାକୁ ଶ୍ୟାମ ଦେଶ କୁହାଯାଉଥିଲା ଆଜି ତାହା ଥାଇଲାଣ୍ଡ। ସେତେବେଳର ସେହି ଶ୍ୟାମ ଦେଶରେ ସେ ସମୟରେ ଅଧିକରୁ ଅଧିକ ନକଲି ମୁଦ୍ରା ପ୍ରସ୍ତୁତ ହେଉଥିଲା। ଅତି ସରଳ ଭାବରେ କହିଲେ ସାଧାରଣତଃ ସମସ୍ତ ନକଲି ମୁଦ୍ରା ପ୍ରସ୍ତୁତିର ପଛରେ ରାଷ୍ଟ୍ର ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ରାଷ୍ଟ୍ର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ଭଳି ସାମାଜିକ ଅହିତକର ଉଦ୍ଦେଶ୍ୟ ରହିଥାଏ। ତେଣୁ ନକଲି ମୁଦ୍ରାର ପ୍ରଚଳନକୁ ପ୍ରତିହତ କରିବା ଦ୍ୱାରା ହିଁ ସମସ୍ତ ରାଷ୍ଟ୍ରବିରୋଧୀ ତତ୍ତ୍ୱକୁ ନିୟନ୍ତ୍ରଣରେ ରଖାଯାଇପାରେ । ସେଇଥିପାଇଁ ସବୁ ସମୟରେ ସବୁ ଦେଶର ଶାସକପକ୍ଷ ନକଲି ମୁଦ୍ରାର ପ୍ରଚଳନକୁ ରୋକିବା ପାଇଁ ଦୃଢ ପଦକ୍ଷେପମାନ ନେଇଥାନ୍ତି।
ଶ୍ୟାମ ଦେଶ ଯାହାକୁ ଆମେ ପିଲା ଦିନୁ “ଶ୍ୱେତ ହସ୍ତୀର ଦେଶ” ବୋଲି ପଢି ଆସିଛୁ ସେଇଠି ସେଇ ୧୯୩୦ ମସିହାର ପରବର୍ତ୍ତି ସମୟରେ ନକଲି ମୁଦ୍ରାର ପ୍ରଚଳନ କୁ ରୋକିବା ପାଇଁ ଗୋଟିଏ ବିଶେଷ କର୍ମଚାରୀ ମାନଙ୍କୁ ବ୍ୟାଙ୍କରେ ନିୟୋଜିତ କରାଯାଇଥିଲା । ଆମେ ଜାଣୁ ଯେ ଯଦି କୌଣସି ବ୍ୟାଙ୍କ ମାଧ୍ୟମରେ ଅବାଧରେ ନକଲି ମୁଦ୍ରା ର ପ୍ରଚଳନ କରାଯାଏ ତେବେ ତାହା ସହଜରେ ସ୍ୱାଭାବିକ ମୁଦ୍ରା ଆକାରରେ ସମାଜର ନେଣଦେଣରେ ବ୍ୟବହୃତ ହୋଇପାରିବ । ତେଣୁ ବ୍ୟାଙ୍କରେ ସର୍ବପ୍ରଥମେ ନକଲି ମୁଦ୍ରାକୁ ଚିହ୍ନଟ କରି ତାହାର ପ୍ରଚଳନକୁ ରୋକାଯିବା ଆବଶ୍ୟକ। ସେହି ଉଦ୍ଦେଶ୍ୟରେ ସେତେବେଳେ ନକଲି ମୁଦ୍ରାକୁ ଚିହ୍ନଟ କରିବା ପାଇଁ ଏକ ବିଶେଷ କର୍ମଚାରୀଙ୍କୁ ବ୍ୟାଙ୍କରେ ନିଯୁକ୍ତି ଦିଆଯାଇଥିଲା। ଏହି ବିଶେଷ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କର “ଟେଲର୍” କାଉଣ୍ଟରରେ ବସି ରହୁଥିଲେ । ସେଇଠି ସେମାନଙ୍କୁ ବ୍ୟାଙ୍କକୁ ଆସୁଥିବା ମୁଦ୍ରାଗୁଡିକୁ ଦିଆଯାଉଥିଲା । ସେମାନେ ଏହି ମୁଦ୍ରାଗୁଡିକର ସ୍ତର ନିର୍ଣ୍ଣୟ କରୁଥିଲେ ଅର୍ଥାତ୍ ଆସିଥିବା ମୁଦ୍ରା ଭିତରୁ କେଉଁଟି ଅସଲି ଆଉ କେଉଁଟି ନକଲି ତାହା ସ୍ଥିର କରୁଥିଲେ । ସେମାନଙ୍କ ନିର୍ଣ୍ଣୟ ଅନୁସାରେ ଅସଲି ଆଉ ନକଲି ମୁଦ୍ରାକୁ ଅଲଗା କରାଯାଉଥିଲା।
ସେମାନଙ୍କର ମୁଦ୍ରା-ଚିହ୍ନଟ-ପ୍ରକ୍ରିୟା ଅତ୍ୟନ୍ତ ସରଳ ଥିଲା। ଯେଉଁ ମୁଦ୍ରାରେ ସେମାନଙ୍କର ଦାନ୍ତର ଦାଗ ରହିଯାଉଥିଲା, ତାହା ଥିଲା ନକଲି ମୁଦ୍ରା । ତେଣୁ ଦାନ୍ତର ଦାଗ ହିଁ ନକଲି ମୁଦ୍ରାକୁ ଚିହ୍ନିବାର ଏକମାତ୍ର ବାଟ ବୋଲି ସେତେବେଳେ ଶ୍ୟାମ ଦେଶର ବ୍ୟାଙ୍କ କର୍ତ୍ତୃପକ୍ଷ ବିବେଚନା କରୁଥିଲେ।
ଏହି ଅଦ୍ଭୁତ ବ୍ୟାଙ୍କ ପରିଚାଳନା ସଂକ୍ରାନ୍ତରେ ଗୋଟିଏ ବିବରଣୀ ପହିଲା ମଇ,୧୯୩୨ ଦିନ ଆମେରିକାର ଖବରକାଗଜ “ବ୍ରୁକଲିନ୍ ଡେଲି ଇଗଲ୍” ରେ ପ୍ରକାଶିତ ହୋଇଥିଲା । ଏଇ ସମାଚାର ଅନୁସାରେ :
ଶ୍ୟାମ ଦେଶର ପ୍ରାୟ ସମସ୍ତ ବଡ ବଡ ବ୍ୟାଙ୍କରେ ସାଧାରଣତଃ ବ୍ୟାଙ୍କର କ୍ୟାଶିଅର୍ ଯେଉଁଠି ବସେ ଠିକ୍ ତାହାର ପଛକୁ ଏହି ବିଶେଷ କର୍ମଚାରୀମାନଙ୍କ ଭିତରୁ ଜଣେ ବା ଦୁଇଜଣ ବସିଥାଆନ୍ତି । ସେମାନେ କ୍ୟାଶିଅରଙ୍କୁ ସହାୟତା ପ୍ରଦାନ କରିଥାନ୍ତି । କ୍ୟାଶିଅର୍ ସେମାନଙ୍କ ପାଖକୁ ମୁଦ୍ରା ବଢାଇଦେବା ମାତ୍ରକେ ସେମାନେ ଆଉ କୌଣସି ବାକ୍ୟବ୍ୟୟ ନକରି ସେହି ମୁଦ୍ରାକୁ କାମୁଡି ଦିଅନ୍ତି। ସେଇ ମୁଦ୍ରାରେ ଯଦି ଦାନ୍ତ ଦାଗ ପଡେ ତେବେ ତାହା ନକଲି ଆଉ ତାହାକୁ ଅଲଗା କରି ରଖାଯାଏ ଯାଏ ଯାହା ପରେ ନଷ୍ଟ କରାଯିବ। ଜଣେ ସମ୍ବାଦଦାତା ଏ ବିଷୟରେ ବ୍ୟାଙ୍କର ଜଣେ କ୍ୟାଶିଅର୍ ଙ୍କ ସହ କଥାବାର୍ତ୍ତାରୁ ଜାଣିପାରିଛନ୍ତି ଯେ,ଜଣେ ଏଇ ଭଳି ନିଯୁକ୍ତ ବିଶେଷ କର୍ମଚାରୀ ଦିନକୁ ପ୍ରାୟ ହଜାର ହଜାର ପାଉଣ୍ଡର ଅର୍ଥମୂଲ୍ୟ ବିଶିଷ୍ଟ ଭିନ୍ନ ଭିନ୍ନ ମୁଦ୍ରାକୁ ଚିହ୍ନଟ କରିଥାଏ। ଆଉ ନକଲି ମୁଦ୍ରାକୁ ଚିହ୍ନଟ କରିବା କ୍ଷେତ୍ରରେ ସେମାନଙ୍କର ସଫଳତାର ହାର ପ୍ରାୟତଃ ଶତକଡା ଶହେ।
ଆଜି ଯଦି କୌଣସି ବ୍ୟାଙ୍କ କର୍ମଚାରୀଙ୍କ ପଛରେ ଅତୀତ ଆକାରର ସେହି ଭଳି ଗୋଟିଏ କର୍ମଚାରୀ ଟୁଲ୍ ଖଣ୍ଡିକରେ ବସି ରହିଥାଏ ତେବେ ଆମକୁ ଅସ୍ୱାଭାବିକ ଲାଗିବ ନାହିଁ ,କାରଣ ମଣିଷର ପଛରେ ଅତୀତ ହୋଇ ମାଙ୍କଡ ଟିଏ ଛିଡା ହୋଇଥିବା କଥାକୁ ଆମେ ଅସ୍ୱୀକାର କରିବୁ ନାହିଁ । ସେଇଥିପାଇଁ ତ ମଣିଷର ଗୋଟିଏ ଡାକ ନାଆଁ ଦେଇଛନ୍ତି ପ୍ରଖ୍ୟାତ ଜୈବସମାଜବିତ୍ ଡେସମଣ୍ଡ ମୋରିସ୍,”ନେକେଡ୍ ଏପ୍” ବା “ଉଲଗ୍ନ ମାଙ୍କଡ”।
ଶ୍ୟାମ ଦେଶର ସେଦିନର ସେହି ବିଶେଷ ବ୍ୟାଙ୍କ ସହାୟକ ମାନେ ଯେଉଁମାନେ ନିଜର ଦାନ୍ତଦାଗରେ ଅସଲି ଆଉ ନକଲି ମୁଦ୍ରାର ଫରକକୁ ବାଛିପାରୁଥିଲେ, ସେମାନେ ଥିଲେ ଅସଲରେ ଗୋଟିଏ ଗୋଟିଏ ମାଙ୍କଡ । ବ୍ୟାଙ୍କ ପରିସରରେ ସେମାନଙ୍କୁ ରହିବା ପାଇଁ ଘର ଯୋଗାଇ ଦିଆଯାଇଥିଲା। ସେମାନେ ବ୍ୟାଙ୍କର ନିୟମିତ ଦରମା-ଭୂକ୍ତ ତାଲିକାରେ ରହୁଥିଲେ। ବ୍ୟାଙ୍କ ତରଫରୁ ସେମାନଙ୍କୁ ଦୁଇଟି ଅତିରିକ୍ତ ସୁଯୋଗ ପ୍ରଦାନ କରାଯାଉଥିଲା, କାମ ସରିବା ପରେ ସେମାନଙ୍କର ଅଖଣ୍ଡ ଇଚ୍ଛାମୁତାବକ ଡିଆଁଡେଇଁ କରିବାର ଅବସର ଥିଲା ଆଉ କର୍ମରତ ସମୟରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଭତ୍ତା ପଦାର୍ଥ ଆକାରରେ ପ୍ରଦାନ କରାଯାଉଥିଲା, ବିଶେଷତଃ କଦଳୀ ।
ଏଇ ପରିପ୍ରେକ୍ଷୀରେ ଦେଖିଲେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ଏତେବର୍ଷ ଧରି ଘର କରିବା ପ୍ରକ୍ରିୟାରେ ଉପସ୍ଥିତ ଲେଖକର ହୃଦବୋଧ ହୋଇଛି ଯେ ଜଣେ ନକଲି ମୁଦ୍ରା ଆକାରରେ ପ୍ରଚଳିତ ନହେବା ପଛରେ ସେହି ବିଶେଷ ଦାନ୍ତଦାଗର ଗୌରବମୟ ଭୂମିକା ସାଧାରଣତଃ ସବୁବେଳେ ଉପସ୍ଥିତ ରହିଛି।
ସେଇ ଭୂମିକା,ଠିକ୍ ସାଆନ୍ତାଣୀ ସୁଲୋଚନାଙ୍କ ସମୟରୁ ଏଯାଏଁ।
Comments are closed.