ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦଳକୁ କର୍ଣ୍ଣାଟକରେ ସମୃଦ୍ଧ କରିବା ସହ ଦଳ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି। କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ ବିଶ୍ୱାସଘାତ କରିଥିବା ପୂର୍ବରୁ ସେ ଅଭିଯୋଗ କରିଛନ୍ତି। ଏପରିକି ଏଥିପାଇଁ ଦଳ ଛାଡି ସେ କଂଗ୍ରେସରେ ମିଶିବା ସହ କଂଗ୍ରେସ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି।
ବିଜେପି କର୍ଣ୍ଣାଟକ ନିର୍ବାଚନରେ ବରିଷ୍ଠ ନେତାଙ୍କ ଟିକେଟ କାଟିବା ସହ ନୂଆ ଓ ଯୁବପୀଢ଼ିଙ୍କ ଉପରେ ଭରସା କରିଛି। ଏହି ଆଧାରରେ ଦଳ ଜଗଦୀଶ ସେଟ୍ଟାରଙ୍କ ଟିକେଟ କାଟିଥିବା କୁହାଯାଏ। ଯାହାକୁ ନେଇ ସେଟ୍ଟାର ବିଜେପି ନେତାଙ୍କୁ ଟିକେଟ କାଟିବାର କାରଣ ମଧ୍ୟ ପଚାରିଥିଲେ। କିନ୍ତୁ ଏହାର ସଠିକ ଉତ୍ତର ତାଙ୍କୁ ମିଳି ନ ଥିଲା।
କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୩ ବର୍ଷ। ସେ ଗୁଜୁରାଟରେ ୪ ଟି ଟର୍ମ ମୁଖ୍ୟମନ୍ତ୍ରୀ ଓ ଏବେ ଦେଶର ପ୍ରଧାନମନ୍ତ୍ରୀ। ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ଦ୍ଵିତୀୟ ଟର୍ମ ଚାଲିଛି। ତେଣୁ ସେ ରାଜନୀତି ଛାଡ଼ିଦେବେ କି ବୋଲି ପ୍ରଶ୍ନ କରିଛନ୍ତି ସେଟ୍ଟାର।
କିନ୍ତୁ ସେ ପ୍ରଧାନମନ୍ତ୍ରୀ ଭାବେ ଆଉ ଗୋଟିଏ ଟର୍ମ କାମ କରନ୍ତୁ ବୋଲି କହିଛନ୍ତି ଜଗଦୀଶ ସେଟ୍ଟାର। ସେହିଭଳି ଯେ ପର୍ଯ୍ୟନ୍ତ ଲୋକଙ୍କ ସମର୍ଥନ ଅଛି ସେ ପର୍ଯ୍ୟନ୍ତ ରାଜନୀତିରେ ରହିବାକୁ ଚାହାନ୍ତି ବୋଲି ସେଟ୍ଟାର କହିଛନ୍ତି।
ବିଜେପି ଛାଡିବା ପରେ ସେଟ୍ଟାର ନିଜ ଆସନ ହୁବ୍ବଲି ଧରୱାଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ତାଙ୍କୁ ହରାଇବାକୁ ବିଜେପି ସମସ୍ତ କୌଶଳ ଆପଣାଇଥିବା କୁହାଯାଉଛି। ଏପରିକି କେନ୍ଦ୍ରୀୟ ନେତାମାନେ ଲଗାତର ସେଟ୍ଟାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି।
ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେଟ୍ଟାରଙ୍କୁ ଟାର୍ଗେଟ କରିଛନ୍ତି। ସେଟ୍ଟାର ଦଳକୁ ଧୋକକା ଦେଇଥିବା ସେ କହିଛନ୍ତି। ଦଳ ଓ ସରକାରରେ ପ୍ରମୁଖ ପଦପଦବୀ ପାଇବା ପରେ ଦଳ ଛାଡି କଂଗ୍ରେସରୁ ଲଢ଼ିବା ଧୋକ୍କା ବୋଲି ଯୋଶୀ କହିଛନ୍ତି।
ଯାହାକୁ ନେଇ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ କାଉଣ୍ଟର କରିଛନ୍ତି। ଯୋଶୀ ଚତୁର୍ଥ ଥର ପାଇଁ ସାଂସଦ ହେବା ସହ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ସେ ରାଜନୀତିରୁ ସନ୍ୟାସ ନେବେ କି ବୋଲି ପ୍ରଶ୍ନ କରିଛନ୍ତି ଜଗଦୀଶ ସେଟ୍ଟାର।
ସେଟ୍ଟାର କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବେ ଗଣାଯାଆନ୍ତି। ଏପରିକି ତାଙ୍କ ପରିବାର ଓ ତାଙ୍କର ବିଜେପିକୁ ଶକ୍ତ କରିବା ଦିଗରେ ବିଶେଷ ଭୂମିକା ରହିଛି। ଏଭଳି ସ୍ଥିତିରେ ତାଙ୍କୁ ଦଳ ଟିକେଟ ନ ଦେବା ଏକ ଅସମ୍ମାନ ବୋଲି କହିବା ସହ ସେ କଂଗ୍ରେସରେ ଯୋଗ ଦେଇଥିଲେ।
ଜଗଦୀଶଙ୍କ ସମେତ ପୂର୍ବତନ ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି ମଧ୍ୟ ଦଳ ଛାଡି କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେଟ୍ଟାରଙ୍କୁ ବିଜେପିର ଟାର୍ଗେଟ ଏବେ ଚର୍ଚ୍ଚାରେ ରହିଥିବା ବେଳେ ନିର୍ବାଚନରେ ଜିତିଲେ ବିଜେପିର ଏକ ଝଟକା ହେବ ବୋଲି ଆଲୋଚନା ହେଉଛି।
Comments are closed.