Latest Odisha News

BREAKING NEWS

ଜଳବନ୍ଦୀରେ ସାରା ଓଡ଼ିଶା: ଟ୍ୱିନସିଟିରେ ପ୍ରବଳ ବର୍ଷା ଜାରି, ଆହୁରି ବର୍ଷିବା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ସାରା ଓଡ଼ିଶାରେ ଦୀର୍ଘ ୧୨ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହିତ ଜୀବନ ଯାପନ ବ୍ୟାହତ ହୋଇଛି ।

ଦୀର୍ଘ ୧୨ ଘଣ୍ଟାର ଲଗାଣ ବର୍ଷାରେ ଟ୍ୱିନସିଟି ବେହାଲ ହୋଇପଡ଼ିଛି । ରାଜଧାନୀ ଭୁବନେଶ୍ୱର ଓ ବ୍ୟସ୍ତ ବହୁଳ ସହର କଟକର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଏହି ଯାଆଁଳା ସହରର ବିଭିନ୍ନ ସ୍ଥାନରେ ଅଧିକାଂଶ ଘରେ ବର୍ଷା ଜଳ ପ୍ରବେଶ କରିଛି । ଲୋକମାନେ ଘରେ ରାନ୍ଧି ପାରୁନଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଛି । ସହରର ଚାରିଆଡ଼େ ଜଳାର୍ଣ୍ଣବ ।

ରାତି ତମାମ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର, ଆଇଗିଣିଆ, ଖଣ୍ଡଗିରି, ବୋମିଖାଲ ଏବଂ ନୟାପଲ୍ଲୀ ଅଞ୍ଚଳରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସରକାରଙ୍କ ପକ୍ଷରୁ ଅଗ୍ନିଶମ ଓ ଓଡ୍ରାଫ ଟିମ ସାହାଯ୍ୟରେ ଲୋକମାନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇଛି । ସ୍ଥାନେ ସ୍ଥାନେ ପୀଡ଼ିତ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ରାଜ୍ୟର ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ, ବାଲେଶ୍ୱର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ରାୟଗଡ଼ା ଜିଲ୍ଲାରେ ରେଳସେବା ବ୍ୟାହତ ହୋଇଛି । ରାୟଗଡ଼ା ଓ କୋରାପୁଟ କଲ୍ୟାଣସିଂହପୁର ନିକଟବର୍ତ୍ତୀ ରାଉଲି-ଲେଲିଗୁମା ଅଞ୍ଚଳରେ ମାଟି ଧସି ପଡ଼ିବା ଫଳରେ ଯାନବାହନ ରାସ୍ତାରେ ଯିବା କଷ୍ଟକର ହୋଇପଡ଼ିଛି । ଏହିସବୁ ଅଞ୍ଚଳର ବିଭିନ୍ନ ଗ୍ରାମରେ ପାଣି ପଶିଯାଇଥିବା ଖବର ଆସିଛି ।

ନାଗାବଳୀ ଓ ବଂଶଧାରାର ଜଳପତ୍ତନ ବିପଦ ସଙ୍କେତର ନିକଟବର୍ତ୍ତୀ ହୋଇଛି । ଗୁଣପୁରରେ ବଂଶଧାରା ନଦୀ ୮୪ ମିଟରର ବିପଦସଙ୍କେତର ନିକଟବର୍ତ୍ତି ଅର୍ଥାତ ୮୨.୩୨ ମିଟର ଉପରେ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଗୋପାଳପୁର-ମଦନପୁର ଏବଂ ଭବାନୀପାଟଣା, ଥୁଆମାଳ ରାମପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସେଠାରେ ସମସ୍ତ ରାସ୍ତାରେ ଅଣ୍ଟାଏ ଲେଖାଏ ପାଣି ଚାଲୁଥିବା ସୂତ୍ରରୁ ଖବର ମିଳିଛି ।

ହାତୀ ନଦୀ ଉପରେ ରହିଥିବା ହାତୀ ବ୍ୟାରେଜରୁ ପାଣି ନିଷ୍କାସିତ ହେବା ପରେ ପରିସ୍ଥିତି ଗମ୍ଭୀର ଆଡ଼କୁ ଯିବାର ସମ୍ଭାବନା ରହିଛି ।

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଜିଲ୍ଲାର ମୁଦୁଲିପଡ଼ା ଓ ଅନ୍ଦରବାହାଲ ଅଞ୍ଚଳ ଅନ୍ୟ ସ୍ଥାନ ମାନଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି ।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନୀ ନିକଟ ଜଳକା ନଦୀରେ ବନ୍ୟାଜଳ ୫.୫ ବିପଦ ସଙ୍କେତର ନିକଟବର୍ତ୍ତୀ ହେବା ଫଳରେ ଏକପ୍ରକାର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ପୁରୀ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ଥ ହୋଇଛି, ଏବଂ ଏଠାରେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ପୁରୀ ସଦରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଚାଲିଥିବା ବେଳେ ପ୍ରବଳ ବର୍ଷା ପୁରୀକୁ ଧୋଇଦେଇଛି । ତିନିରଥ ରହିଥିବା ସ୍ଥାନ ଗୁଣ୍ଡିଚା ମନ୍ଦିର ନିକଟରେ ପାଣି ଜମିରହିବାରୁ ରଥ ଚକ ପାଣିରେ ବୁଡ଼ି ରହିଛି । ବଡ଼ଦାଣ୍ଡ ସମ୍ପର୍ଣ୍ଣ ରୂପେ ଜଳାର୍ଣ୍ଣବ ହୋଇପଡ଼ିଛି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଥିବା ଶ୍ରୀଅଲାରନାଥ ପୀଠର ମନ୍ଦିର ବର୍ଷାଜଳରେ ବୁଡ଼ି ରହିଛି ।

ବ୍ରହ୍ମପୁର ସହରର ବ୍ରଜନଗର, ଗୋବିନ୍ଦ ବିହାର, ଶ୍ରୀମା ନଗର, ରାମକୃଷ୍ଣ ନଗର ଏବଂ ଶକ୍ତିନଗରରେ ଆଣ୍ଠୁଏ ଲେଖାଏ ପାଣିରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।

Leave A Reply

Your email address will not be published.