Latest Odisha News

BREAKING NEWS

ବିପଦରେ ଚିତା; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ଆଉ ୨ ଶାବକ

ଭୋପାଳ: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଏବେ ବିପଦରେ ଚିତାଙ୍କ ଜୀବନ  ।  ଉତ୍ତାପ ସମ୍ଭାଳି ନ ପାରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତା ଆଖି ବୁଜିବାରେ ଲାଗିଛନ୍ତି ।   ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ ।

ପ୍ରବଳ ଉତ୍ତାପ ସହି ନପାରି ଚିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।   ଗତ ବର୍ଷ ନାମିବ୍ୟାରୁ ଆସିଥିବା ଚିତା ଜ୍ୱାଲା ୪ଟି ଛୁଆ ଜନ୍ମ ନେଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୩ଟି ଛୁଆଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଗତ ୨୩ ତାରିଖରେ ପ୍ରଥମେ ଗୋଟିଏ ଛୁଆର ମୃତ୍ୟୁ ଘଟିଥିବାବେଳେ ଗତ ୨୫ ତାରିଖରେ ଆଉ ୨ଟି ଛୁଆଙ୍କ ମୃତ୍ୟୁ ଘଟିଥିଲା। ଏବେ ଜ୍ୱାଲାର ଆଉ ଗୋଟିଏ ସନ୍ତାନ ଅଛି ।

ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଏହି ଚିତା ଶାବକମାନେ ବହୁତ ଦୁର୍ବଳ ଥିଲେ । ଏମାନଙ୍କର ଓଜନ ମଧ୍ୟ ବହୁତ କମ ଥିଲା । ଏମାନଙ୍କ ଶରୀରରେ ଜଳୀୟ ଅଂଶ ବି ବଂହୁତ କମ ଥିଲା । ଏହି ଚିତା ଶାବକମାନେ ୮ ସପ୍ତାହର ଥିଲେ । ଏହି ବୟସରେ ଚିତା ଶାବକମାେନ ସାଧାରଣତଃ ମା’ ସହ ବୁଲାବୁଲି କରିଥାନ୍ତି । ଏମାନେ ମଧ୍ୟ ୮/୧୦ ଦିନ ହେବ ବୁଲିବା ଆରମ୍ଭ କରିଥିଲେ ।

ଏହା ପୂର୍ବରୁ ଅର୍ଥାତ ମେ ୯ ତାରିଖରେ ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଥିଲା ଚିତା ଦକ୍ଷା । ଏହାପୂର୍ବରୁ ଅର୍ଥାତ ଏପ୍ରିଲରେ ଗତମାସରେ କୁନୋ ଜାତୀୟ ଉଦ୍ୟାନରେ ୬ ବର୍ଷର ‘ଉଦୟ’ ବି ଆଖି ବୁଜିଥିଲା । ଦକ୍ଷିଣଆଫ୍ରିକାରୁ ଅଣା ଯାଇଥିବା ଚିତାଙ୍କୁ ମୌସୁମୀ ପୂର୍ବରୁ ଜଙ୍ଗଲରେ ଛାଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁନରେ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ । ହେଲେ ତା ପୂର୍ବରୁ ଗୋଟିଏ ପରେ ଗୋଟିଏ ଚିତା ପ୍ରାଣ ହରାଇବାରେ ଲାଗିଛନ୍ତି ।

କୁହାଯାଉଛି, କୁନୋ ନ୍ୟାସନାଲ ପାର୍କରେ ତାପମାତ୍ରା ୪୫ ରୁ ୪୭ ଡିଗ୍ରୀ ହୋଇଥିବାରୁ ସେହି ଉତ୍ତାପ ସହ୍ୟ କରି ପାରୁ ନାହାନ୍ତି ଚିତା । ଅନ୍ୟ ଚିତାଙ୍କ ସୁରକ୍ଷା ଲାଗି ନାମିବ୍ୟା ଓ ସାଉଥ ଆଫ୍ରିକା ଚିତା ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି କୁନୋ ପାର୍କ କର୍ତ୍ତୃପକ୍ଷ ।

ଏଠି କହିରଖିବୁ, ଦେଶରେ ୭୦ ବର୍ଷ ତଳେ ଚିତା ଲୋପ ପାଇ ଯାଇଥିଲେ । ୨୦୨୨ ସେପ୍ଟେମ୍ବର ୧୭ରେ ବିମାନ ଯୋଗେ ୮ଟି ଚିତା ଦକ୍ଷିଣଆଫ୍ରିକାରୁ ଅଣାଯାଇଥିଲା ।  ସେମାନଙ୍କୁ କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜରରେ ରଖା ଯାଇଥିଲା ।

Leave A Reply

Your email address will not be published.