Latest Odisha News

BREAKING NEWS

ଉଭାନ ହୋଇଗଲା ହଜାର ହଜାର ଗଛ, ବନ ବିଭାଗ ପାଖରେ ନାହିଁ ଖବର

ନବରଙ୍ଗପୁର : ବଢ଼ିବାରେ ଲାଗିଛି କାଠ ମାଫିଆଙ୍କ ଦୌରାତ୍ମ୍ୟ । ଚୁପ୍‌ ବସିଛି ବିଭାଗ । ଦିନ ଦି ପହରରେ ଗଛ ଚୋରି କରିନେଇଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଠାରୁ ମୋତିଗାଁ ଦେଇ ଛତିଶଗଡ଼ ରାଜ୍ୟ ସୀମା ପର୍ଯ୍ୟନ୍ତ ୨୫ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ସି.ଆର.ଏଫ ପାଣ୍ଠିରୁ ୬୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ବର୍ତ୍ତମାନ ଏହାର ଟେଣ୍ଡର ପ୍ରକ୍ରିୟା ଚାଲିଛି, ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ ଗୁଡିକ ରାସ୍ତାର ପ୍ରଶସ୍ତିକରଣରେ ବାଧା ସୃଷ୍ଟି କରିବା ପୂର୍ବରୁ ୨୫ ଶହ ଗଛ କାଟିବା ପାଇଁ ଚିହ୍ନଟ କରାଯାଇ ଖୁଣ୍ଟ ପୋତାଯାଇଥିଲା।

ଗଛ ଚିହ୍ନଟ ହେବାର ପରଦିନ ଚିହ୍ନଟ କରାଯାଇଥିବା ଗଛ ଗୁଡିକ ସମେତ ଚିହ୍ନଟ ହୋଇନଥିବା ଗଛ ଗୁଡିକ କାଠ ମାଫିଆ ମାନେ କାଟି ସଫା କରିଦେଇଥିବା ଅଭିଯୋଗ ହୋଇଛି । ୩୦/୪୦ ବର୍ଷର ପୁରାତନ ଚାଖୁଣ୍ଡା,ଆକାସିଆ ଗଛ ଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିଲା ହେଲେ ଏବେ ତାର ଚିହ୍ନ,ବର୍ଣ୍ଣ ଆଉ ନାହିଁ । ଏତେ ସାରା ଗଛ ଗୁଡିକୁ ଗୋଟିଏ ଦିନରେ କାଟିନେବା ସମ୍ଭବ ନଥିବାବେଳେ ଗଛ ଗୁଡିକ ଏପରି ଉଭାନ ହୋଇଯିବା ସମସ୍ତଙ୍କୁ ଚକିତ କରିଛି ।

କୋଷାଗୁମୁଡ଼ା ଠାରୁ ଛତିଶଗଡ଼ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ ଗୁଡିକୁ କାଟିବା ପାଇଁ ପୂର୍ତ୍ତ ବିଭାଗ ନବରଙ୍ଗପୁର ବନବିଭାଗ ଅଧିକାରୀଙ୍କୁ ମେଲ କରିଥିଲେ  ।ବନବିଭାଗ ଅଧିକାରୀ ପୂର୍ତ୍ତ ବିଭାଗର ଚିଠିର ଉତ୍ତରରେ ଗଛ ଗୁଡିକ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯଦି ଆସୁନଥାଏ ତାହେଲେ ଏହି ଗଛ ଗୁଡିକୁ କାଟିବା ପାଇଁ ସରକାରୀ ନିୟମାନୁସାରେ OFDC କୁ ପୂର୍ତ୍ତ ବିଭାଗ ଅନୁମତି ଦିଅନ୍ତୁ ବୋଲି ମେଲରେ ଉତ୍ତର ରଖିଥିଲା ବନବିଭାଗ । କିନ୍ତୁ ଏହାକୁ ଅଣଦେଖା କରି ଚୁପ ହୋଇ ବସି ରହିଲେ ପୂର୍ତ୍ତ ବିଭାଗ ଅଧିକାରୀ । ଫଳରେ କାଠ ମାଫିଆ ସବୁ ଗଛ କାଟି ନେଇଯାଇଥିବା ଅଭିଯୋଗ ହୋଇଛି ।

ସେପଟେ ଗଛ ଗୁଡିକ କାଟିବା ପାଇଁ OFDC କୁ  ପୂର୍ତ୍ତ ବିଭାଗ କୌଣସି ଚିଠି କରିନଥିବା OFDC ଅଧିକାରୀ କହିଛନ୍ତି । ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଗଛ ଗୁଡିକ ଆସୁନଥିବାରୁ ଏହି ବିଷୟରେ କିଛି ପ୍ରତିକ୍ରିୟା ରଖିବା ପାଇଁ ମନା କରିଦେଇଛନ୍ତି ଜିଲ୍ଲା ମୁଖ୍ୟ ବନ ଅଧିକାରୀ। କିନ୍ତୁ ପୂର୍ତ୍ତ ବିଭାଗ ଅଧିକାରୀ ଗଛ ଗୁଡିକୁ କିଏ କାଟିନେଲା ଏ ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି ଦାଇତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ।

ପୂର୍ତ୍ତ ବିଭାଗ ସରକାରୀ ନିୟମର ଉଲଘଂନ କରିଥିବା ଅଭିଯୋଗ ହୋଇଛି । ଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ଘଟିଛି ।

 

 

Comments are closed.