Latest Odisha News

BREAKING NEWS

ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ୱାମୀ, ଘର ପଛପଟେ ପୋତିଲା ମୃତଦେହ

ବଣାଇ : ରକ୍ଷକ ସାଜିଲା ଭକ୍ଷକ । କେତେବେଳେ ଠେଙ୍ଗାରେ ପିଟିଲା ତ ଆଉ କେତେବେଳେ ଟାଙ୍ଗିଆରେ ହାଣିଲା । ଶେଷରେ ପିଟିପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ।

ନୂଆଗାଁରେ ଜଣେ ବ୍ୟକ୍ତି ତା ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ ସରସ୍ୱତୀ କିସାନ ଏବଂ ତାଙ୍କ ସ୍ୱାମୀଙ୍କ ନାଁ ତ୍ରିଲୋଚନ କିସାନ । ପାରିବାରିକ କଳହରୁ ସ୍ତ୍ରୀର ଜୀବନ ନେଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ତ୍ରିଲୋଚନ ଓ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ସବୁବେଳେ ତାଙ୍କ ସ୍ତ୍ରୀ ସରସ୍ୱତୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ । ସେଥିପାଇଁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଗତକାଲି ମଧ୍ୟ ଏହି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସମସ୍ତେ ଖାଇପିଇ ଶୋଇବା ପରେ ତ୍ରିଲୋଚନ କୋଦାଳ ବେଣ୍ଟରେ ସରସ୍ୱତୀଙ୍କୁ ପିଟି ପିଟି ମାରି ଦେଇଥିଲେ। ପରେ ସେ ଘର ପଛରେ ଥିବା ବାଡ଼ିରେ ଗାତ ଖୋଳି ସରସ୍ୱତୀଙ୍କ ମୃତଦେହକୁ ପୋତି ଦେଇଥିଲେ।

ମା’ ସରସ୍ୱତୀଙ୍କୁ ସକାଳୁ ଦେଖିବାକୁ ନପାଇ ପୁଅ ପଡ଼ୋଶୀ ଲୋକଙ୍କୁ ସବୁକଥା କହିଥିଲେ । ପରେ ପଡ଼ୋଶୀ ଲୋକ ସନ୍ଦେହ କରି ତ୍ରିଲୋଚନଙ୍କୁ ପଚାରିଥିଲେ ହେଲେ ଅଭିଯୁକ୍ତ ତ୍ରିଲୋଚନ ସଠିକ କଥା କହିନଥିଲେ । ଫଳରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ ଏଥିସହ ପୁଅ ମଧ୍ୟ ମା’ ସରସ୍ୱତୀଙ୍କୁ ବାପା ହତ୍ୟା କରିଥିବା ନେଇ ସେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନକୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି ।

 

 

Comments are closed.