Latest Odisha News

BREAKING NEWS

କାହାପାଇଁ ‘ମୋ ଘର’ ଯୋଜନା ? କେମିତି କରିବେ ଆବେଦନ ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବାଜିଛି ମୋହର । ଏଥି ମଧ୍ୟରେ ରହିଛି ମୋ ଘର ଯୋଜନା । ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ସବସିଡିରେ ଯୋଗାଇ ଦିଆଯିବ ସହାୟତା ।
ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର’ ଅନୁସାରେ ଘର ପାଇନଥିବା ହିତାଧିକାରୀ ଘର କରିପାରିବେ । ଏହାଦ୍ୱାରା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ହିତାଧିକାରୀ ଉପକୃତ ହେବେ । ସ୍ବଳ୍ପ ଗୃହ ମଂଜୁର ଲକ୍ଷ୍ୟଧାର‌୍ୟ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ ।
ଏହି ଯୋଚନାରେ ସବସିଡି ରାଶି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦିଆଯିବ । – ହିତାଧିକାରୀ ଋଣ ନେଇ ନୂଆ ଘର ତିଆରି କରିପାରିବେ କିମ୍ବା ପୁରୁଣା ଘରର ସମ୍ପ୍ରସାରଣ ଓ ଉନ୍ନତିକରଣ ବି କରିପାରିବେ । ଯୋଜନାରେ ସର୍ବାଧିକ ୩ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବ୍ୟାଙ୍କ ଋଣ ମିଳିପାରିବ । ହିତାଧିକାରୀ ଏହି ଋଣ ୧୦ ବର୍ଷ ମଧ୍ୟରେ ପରିଶୋଧ କରିପାରିବେ ।
ତେବେ ବ୍ୟାଙ୍କ ଋଣ ପାଇଁ ରହିଛି ୪ଟି ସ୍ଲାବ । ହିତାଧିକାରୀ ତାଙ୍କର ଆବଶ୍ୟକତା ଅନୁସାରେ, ୧ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ଋଣ ନେଇପାରିବେ । ଏହି ଯୋଚନାରେ ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨୧୫୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦, ST/SCଙ୍କୁ ୪୦ ହଜାର ସବସିଡି ମିଳିବ ।

ଏହି ଯୋଜନା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ଖୋଲିଛନ୍ତି । ଏହି ୱେବସାଇଟ ଜରିଆରେ ହିତାଧିକାରୀ ଆବେଦନ କରିପାରିବେ । rhodisha.gov.in/moghara ୱେବସାଇଟ ଘର ପାଇଁ ଆବେଦନ କରି ପାରିବେ ହିତାଧିକାରୀ । ପ୍ରଥମେ ୱେବସାଇଟରେ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ । ଏଥିପାଇଁ ଆଗାମୀ ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ଜରିଆରେ ଆବେଦନ କରିପାରିବେ । ଏଥିପାଇଁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଂଟ ଇତ୍ୟାଦି ଦେବାକୁ ପଡ଼ିବ ।
ଜମି ରେକର୍ଡ ସାଙ୍ଗକୁ ଆୟ ପ୍ରମାଣପତ୍ର ସମ୍ପର୍କିତ କାଗଜପତ୍ର ବି ସଂଲଗ୍ନ କରିବାକୁ ହେବ । ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ର ମଧ୍ୟ ୱେବସାଇଟ୍ ଜରିଆରେ ଦାଖଲ କରିବେ ।

ତେବେ କେଉଁମାନେ ଏହି ଯୋଜନା ପାଇଁ ଆବେଦନ କରପାରିବେ ତାହାର ଏକ ତାଲିକା ଜାରି କରିଛନ୍ତି ସରକାର । କଚ୍ଚା ଘର ଥିଲେ କିମ୍ବା ଗୋଟିଏ କୋଠରୀ ଥିବା ପକ୍କା ଘରେ ରହୁଥିଲେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କ ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍ ହୋଇଥିବ, ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟାବସାୟିକ ଚାରିଚକିଆ ଯାନ ନଥିଲେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ତେବେ ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ଚାକିରି କରିଥିଲେ ଏହି ଯୋଜନାର ସୁବିଧା ମିଳିବନି ।

Leave A Reply

Your email address will not be published.