ଯାଜପୁର: ଯାଜପୁର ଜିଲ୍ଲାରେ ଏକ ପଥର ଖାଦାନରେ ଖଣି ଖୋଳା ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ ନାବାଳକଙ୍କ ସମେତ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜେନାପୁର ଥାନା ଅଧିନରେ ଥିବା ଲୁଣିବର ଖଣିରେ ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣା ଆଜି ସକାଳେ ଜଣାପଡ଼ିଛି।
ଦୁଇ ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଶାନ୍ତନୁ ଖିଲାର (୨୮) ଓ ଯାଜପୁର ଗେଙ୍ଗୁଟିଆ ଗାଁର ହେଲପର ଅପୁ ରାଉତ(୧୬)। ଏହି ଦୁଇ ଶ୍ରମିକ ଖଣି ଅଞ୍ଚଳରେ କାମ କରୁଥିଲେ। ମାଟି ଖେଳିବାକୁ ନିୟୋଜିତ ଥିବା ପୋକଲିନ ମେସିନରେ ଏମାନେ ନିୟୋଜିତ ଥିଲେ। ଏହି ମେସିନଟି ୫୦ ଫୁଟ ତଳକୁ ଖସିବାରୁ ଏଥିରେ ଥିବା ଅପରେଟର ଓ ହେଲପରର ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବହୁ ଚେଷ୍ଟା ପରେ ମଧ୍ୟ ମେସିନ୍ ଅପରେଟରଙ୍କୁ ଡାକ୍ତର ବଞ୍ଚାଇପାରିନଥିଲେ। ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ହେଲପରଙ୍କୁ ଅଧିକ ଚିକିତ୍ସା ପାଇଁ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ଦୁଃଖର ସେ ମଧ୍ୟ ଶେଷରେ ଆଖି ବୁଜିଥିଲେ।
ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦିଆଯିବା ପରେ ପୁଲିସ ଓ ତହସିଲଦାର ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ କେଉଁ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଖଣି ଅଞ୍ଚଳରେ କିଭଳି ଜଣେ ନାବାଳକ କାମ କରୁଥିଲା ଏବଂ କିଏ ଆଣି ତାଙ୍କୁ କାମରେ ନିୟୋଜିତ କରିଥିଲା ତାହା ଏବେ ତଦନ୍ତ ସାପେକ୍ଷ।
Comments are closed.