Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଠିକ୍ ସେତିକିବେଳେ, ସେ ଦେଖିପାରିଲା, ତା’ଠାରୁ କିଛି ଫୁଟ୍ ଦୂରରେ ସମୀରା ଠିଆ ହୋଇଛି, ମୁହଁରେ ହସ ଖେଳେଇ, ବୀରା ଆଡ଼କୁ ଦୁଇହାତ ବଢ଼େଇ ଦେଇ । ତାକୁ ଏମିତି ଡରେଇ ଦେଇଥିବା ଯୋଗୁଁ ବୀରା ଖୁବ୍ ରାଗିଥିଲେ ବି, ସମୀରା ହାତ ଧରି ପକେଇବାକୁ ଯାଉଥିଲା । ଠିକ୍ ଏତିକିବେଳେ, ଦଶପୁରୁଷ ଉଚ୍ଚ ଢେଉଟେ ସମୀରା ପଛପଟୁ ମାଡ଼ି ଆସିଲା । ବୀରା ଜୋର୍‌ରେ ଚିତ୍କାର କରି ସମୀରାକୁ ସତର୍କ କରିବାକୁ ଚାହୁଁଥିଲେ ବି ତା’ ପାଟିରୁ ଶବ୍ଦଟିଏ ସ୍ଫୁରିଲା ନାହିଁ । ସମୀରା ମୁଣ୍ଡ ହଲଉଥାଏ, ମୁହଁରେ ଦୁଃଖ ଓ ଯବଣାର ହସଟିଏ, “ତୁ କିଛି ବି କରିପାରିବୁ ନାହିଁ ବୀରା । ମତେ ଯିବାକୁ ହେବ । ଏଇଟା ହିଁ ମୋ’ ଭାଗ୍ୟ । ଆଇ ଲଭ୍ ୟୁ ।”

ଧୀର ସ୍ୱରରେ ସମୀରା ଏତକ କହି, ସେମିତି ଦି’ଆଡ଼କୁ ହାତ ପ୍ରସାରି ଦେଲା । ଆଖି ଝଲସେଇ ଦେଲା ପରି ଆଲୋକ ଭିତରେ, ଶୂନ୍ୟରେ ସେ କୁଆଡ଼େ ମିଳେଇ ଗଲା । ତାପରେ ଚାରିଆଡ଼ ଅନ୍ଧାର ।

“ବୀରା! ଏ ବୀରା! ଉଠ ।” ନିଦ ବାଉଳାରେ ଚିତ୍କାର କରୁଥିବା ବୀରାକୁ ହଲେଇ ଦେଇ ସମୀରା କହିଲା । ବୀରା ଆଖି ଖୋଲି ଦେଖେ ତ ବିବ୍ରତ ମୁହଁରେ ସମୀରା ତା\’ ପାଖରେ ଝୁଙ୍କି ପଡ଼ିଛି । ସେ ଖୁବ୍ ଆଶ୍ୱସ୍ତ ଅନୁଭବ କଲା; ଯେମିତି କିଏ ତା’ ମୁଣ୍ଡରେ ବାଲ୍‌ତିଏ ଥଣ୍ଡା ପାଣି ଢାଳି ଦେଲା । ଉଠି ବସିପଡ଼ି, ସମୀରାକୁ ଖୁବ୍ ଜୋରରେ ଜାବୁଡ଼ି ଧରିଲା ବୀରା ।

“ଆରେ! କ’ଣ ହେଇଚି ତୋ’ର? କ’ଣ କିଛି ଖରାପ ସ୍ୱପ୍ନ ଦେଖିଲୁ କି? ଏତେ ଜୋରରେ ହାଉଳି ଖାଇ ଚିତ୍କାର କରୁଥିଲୁ ଯେ?” ବ୍ୟସ୍ତ ହୋଇ ସମୀରା ଏତକ କହିଲା ପରେ, ବୀରା ଅନୁଭବ କରିପାରୁଥିଲା ଯେ ସେ କେଉଁ ପ୍ରକାରର ଅବସ୍ଥାରେ ତା’ ନିଜ ସ୍ୱପ୍ନରେ ଥିଲା! ଦେହ ସାରା ଝାଳ, ସବୁ ବେଡ଼୍‌ସିଟ୍ ଓ କମ୍ବଳ ଛନ୍ଦି ହୋଇଯାଇଥା’ନ୍ତି ତା’ ଗୋଡ଼ ଦୁଇଟିରେ… ହାତ ଥରୁଥାଏ, ଆଉ ତା’ ହୃତ୍‌ସ୍ପନ୍ଦନ ବଢ଼ିଯାଇଥାଏ ।

 

Leave A Reply

Your email address will not be published.