Latest Odisha News

BREAKING NEWS

ବାହନଗା ଟ୍ରେନ ଦୁର୍ଘଟଣା ପଛରେ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟ କଥା କାହିଁକି ଭାବୁଛି ରେଲଓ୍ବେ ବୋର୍ଡ?

ବାଲେଶ୍ୱର: ଶୁକ୍ରବାର ରାତିରେ ବାଲେଶ୍ୱର ବାହାନହାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଥିବାରୁ ଏହି ଘଟଣା ପଛରେ “ଅନ୍ତର୍ଘାତୀ” ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି।

ରେଳବାଇ ପୋଲିସ ଷ୍ଟେସନ ଏବଂ ଟ୍ରେନ ସୁରକ୍ଷା ପାଇଁ ଯଦିଓ ନିୟୋଜିତ ଅଛନ୍ତି ହେଲେ ଏଭଳି ସମ୍ଭାବ୍ୟ “ଅପରାଧିକ ଉଦ୍ଦେଶ୍ୟ”ର ତଦନ୍ତ ପାଇଁ ଆବଶ୍ୟକ ସମ୍ବଳର ଅଭାବ ରହିଛି। ତେଣୁ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡ଼ିଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଦୁର୍ଘଟଣାର ମୂଳ କାରଣ ଏବଂ ଅପରାଧ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଯାଇଛି। ପଏଣ୍ଟ ମେସିନରେ କାହିଁକି ଓ କିଭଳି ପରିବର୍ତ୍ତନ କରାଗଲା ସେନେଇ ଆଲୋକପାତ କରିବା ପାଇଁ ଏବେ ବିସ୍ତୃତ ତଦନ୍ତ ରିପୋର୍ଟ ପାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ସମ୍ଭାବ୍ୟ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟକୁ ଦର୍ଶାଇ ରେଳ ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ଟ୍ରେନର ଲାଇଭ ଲୋକେସନ ବା ଠିକଣାକୁ ଚିହ୍ନଟ କରୁଥିବା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ସହିତ ଟ୍ୟାମ୍ପରିଂ ଏହି ଦୁର୍ଘଟଣାରେ ଭୂମିକା ଗ୍ରହଣ କରିଥାଇପାରେ। ହାଓ୍ୱଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ମୁଖ୍ୟ ଲାଇନରେ ଆଗକୁ ବଢ଼ିବାର ଥିଲା, କିନ୍ତୁ ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଯୋଗୁ ଏହାକୁ ଲୁପ୍ ଲାଇନ୍କୁ ଘୁଞ୍ଚାଇ ଦିଆଯାଇଥିଲା।

ଫଳରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଏହା ଧକ୍କା ଖାଇ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସର କିଛି ବଗି ଅପ ଲାଇନରେ ଛିଟକି ହୋଇ ପଡିଥିଲା। ଆଉ ଏହି ସମୟରେ ଭୁବନେଶ୍ବର ଆଡୁ ହାଓ୍ୱଡା ଯାଉଥିବା ବେଙ୍ଗାଲୁରୁ-ହାଓ୍ୱଡା ସୁପରଫାଷ୍ଟ ଏକ୍ସପ୍ରେସର ଧକ୍କା ହୋଇଥିଲା।

ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ରେଳବାଇର ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମକୁ ଏଭଳି ଡିଜାଇନ କରାଯାଇଛି ସିଷ୍ଟମ ଫେଲ୍ ହେବାର ସମ୍ଭାବନା ବହୁତ କମ୍। ତେଣୁ ଏକ୍ସପ୍ରେସ୍ ଟ୍ରେନ୍କୁ ରେଡ୍ ସିଗନାଲ ମିଳିବା ଉଚିତ ଥିଲା। ଯାହା ଫଳରେ ଏହା ମାଲବାହୀ ଟ୍ରେନ୍ ଆଡ଼କୁ ଯିବାକୁ ଯାଇନଥାନ୍ତା। ତେଣୁ ଅନ୍ତର୍ଘାତୀ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ରେଳବାଇର ସୁପାରିଶ ଅନୁଯାୟୀ ସିବିଆଇ ତଦନ୍ତର ଆବଶ୍ୟକତାକୁ ସୂଚାଉଛି।

Comments are closed.