Latest Odisha News

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଦୂର ବା ନିକଟ ଅତୀତ
ଏଠାରେ ନିତି ଉପାସିତ
କିଂତୁ ଚଳିତ ବର୍ତମାନ
ପ୍ରତ୍ୟହ ସହେ ଅପମାନ

ଚଳିତ ସମୟକୁ ଗାଳି
ଦେଇ ଲୋକେ ପାରଂତି ଚଳି
କରଂତି ଅତୀତ ବଂଦନା
ଏ କାମ ଭଲ ରୂପେ ଜଣା

ନ ଥିଲେ ସୁଦ୍ଧା ନୂଆ ଜ୍ଞାନ
ଉଦ୍‌ଗାରି ପୁରୁଣା ଭାଷଣ
ଲୋକେ ଏଠି ବୋଲାଂତି ବାଗ୍ମୀ
ଶବ୍ଦରେ ସଦା ଭ୍ରମି, ଭ୍ରମି

ଏପରି ଶହ ଶହ ସଭା
ହେଲେ ହେଁ ବେଶ୍‌ ମନଲୋଭା
କେହି ବି ତହିଁର ପ୍ରଭାବ
କେହି କରିନି ଅନୁଭବ

ଅନେକ ଲୋକପ୍ରିୟ ବ୍ୟକ୍ତି
ସୁଖ୍ୟାତି ଅର୍ଜନ କରଂତି
କିଂତୁ ତାଂକ ସାହିତ୍ୟ କୃତି
ବିଷୟ କେହି ନ ଜାଣଂତି

କରିଲେ ବ୍ୟକ୍ତି ଉପାସନା
ତାଂକର କୃତି ହିଁ ଅଜଣା
ରହି ହୁଅଇ ଉପେକ୍ଷିତ
ଏହା ହିଁ ଅଟେ ଶୁଦ୍ଧ ସତ

ବ୍ୟକ୍ତିପୂଜାରେ ହୋଇ ଭୋଳ
ଆମ ବକ୍ତୃତାଦାତା ଦଳ
ନ ପାଇଲେ ବି କିଛି ଫଳ
ହୁଅଂତିନାହିଁ ଟଳମଳ

ଅସଂଖ୍ୟ ନାଆଁକରା ବ୍ୟକ୍ତି
ଶୁଣି ଅପାଠକର ସ୍ତୁତି
ହୁଅଂତି ଯେଣୁ ଆତ୍ମମୁଗ୍‌ଧ
ସ୍ବଭାଷା ହେଉଥାଏ ଦଗ୍‌ଧ

Comments are closed.