ଭୁବନେଶ୍ୱର:ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ୭ଟି ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ରାଶି ପ୍ରଦାନ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସୂଚନା ଦିଆ ଯାଇଛି ।
ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତକ ୨୭୫ ଜଣଙ୍କ ମଧ୍ୟରୁ ୩୯ ଜଣ ଓଡ଼ିଶାର । ଏମାନଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେବା ପାଇଁ ମୋଟ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।
ସୂଚନାଥାଉ କି, ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ୩୯ ଜଣଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ଏମାନଙ୍କ ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି ।
ଏହାବ୍ୟତୀତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ସହାୟତା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଲେଖାଏ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
Comments are closed.