Latest Odisha News

BREAKING NEWS

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର କାରଣ ଖୋଜିଛନ୍ତି।

ଏହାକୁ ନେଇ ସାଙ୍ଗଠନିକ ସ୍ତରରେ କଣ ପରିବର୍ତ୍ତନ ହେବ ତା ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛି ବିଜେପି। ଏପରିକି କର୍ଣ୍ଣାଟକରେ ତ୍ରୁଟିକୁ ସୁଧାରିବା ସହ ସାଙ୍ଗଠନିକ ସ୍ତରରେ କିଭଳି ସୁଧାର ଆସିବ ତା ଉପରେ ବିଚାର ବିମର୍ଶ ହୋଇଛି।

ନିର୍ବାଚନ ବର୍ଷରେ ଦଳ ନିଜର ଶକ୍ତିକୁ ବୃଦ୍ଧି କରି ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିବାରୁ ଏ ଉପରେ ବିଶଦ ଭାବେ ଆଲୋଚନା ହୋଇଛି। କେବଳ କର୍ଣ୍ଣାଟକ ନୁହେଁ ଆଉ କିଛି ରାଜ୍ୟରେ ମଧ୍ୟ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଯାଉଛି ବିଜେପି।

ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦଳୀୟ ସଂଗଠନରେ ବ୍ୟାପକ ପରିବର୍ତ୍ତନ ହେବ। ଏପରିକି କିଛି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ ପ୍ରଭାରୀ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି।

ରାଜ୍ୟସ୍ତରରେ ପରିବର୍ତ୍ତନ ସହ କେନ୍ଦ୍ରୀୟ କାର୍ଯ୍ୟକର୍ତା ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ ହେବା ନେଇ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏପରିକି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜ୍ୟସ୍ତରର ସ୍ଥାନୀୟ ନେତାଙ୍କ ମଧ୍ୟରେ କିଭଳି ଲଢେଇ ନ ହେବ ଓ କର୍ଣ୍ଣାଟକ ଭଳି ଦଳକୁ ପରାଜୟର ଶିକାର ହେବାକୁ ନ ପଡିବ ସେ ନେଇ ଦଳ ବେଶ ସଜାଗ ହୋଇଛି।

ସେଥିପାଇଁ ଦଳର ଜାତୀୟ ସ୍ତରର ନେତାମାନେ ଲଗାତର ବୈଠକ କରିଛନ୍ତି। ଏପରିକି ବହୁ ଏନଡିଏ ସହଯୋଗୀ ଦଳ ବିଜେପି ହାତ ଛାଡିଥିବାରୁ ଏ ସମ୍ପର୍କରେ ମଧ୍ୟ ବିଜେପି ଗୁରୁତ୍ୱ ଦେଉଛି। ୯ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାକୁ ଅସ୍ତ୍ର କରି ଲାଭ ପାଇଥିବା ପରିବାର ଉପରେ କିଭଳି ଫୋକସ କରିହେବ ତାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କୁହାଯାଉଛି।

ତେଣୁ କର୍ଣ୍ଣାଟକରେ ବଡ଼ ପରାଜୟ ପରେ ତ୍ରୁଟିକୁ ସୁଧାରିବାକୁ ଲାଗି ପଡିଛି ବିଜେପି। ତ୍ରୁଟି ସବୁ ସୁଧାରି ଆଗାମୀ ନିର୍ବାଚନ ଗୁଡିକରେ ଦଳ ପୁଣିଥରେ ବିଜୟ ବାନା କେତେଦୂର ଉଡାଇ ପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.