ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୯ ବର୍ଷ କ୍ଷମତାରେ ରହିଲା ବିଜେପି ସରକାର । ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ । ଏହି ଅଭିଯାନକୁ ସଫଳ କରିବା ପାଇଁ ୨୮୮ ଜଣ ବରିଷ୍ଠ ଜାତୀୟ ସ୍ତର ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ତାଲିକାରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ।
ସେବା, ସୁଶାସନ ଓ ଗରିବକଲ୍ୟାଣ ଯୋଜନା ଆଦିରେ କେନ୍ଦ୍ର ସରକାରଙ୍କର ଗତ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ଏହି ଜନସମ୍ପର୍କ ଅଭିଯାନର ଉଦ୍ଦେଶ୍ୟ । ଏଥିପାଇଁ ଗତ ମେ ୩୧ରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ଏହି ମହା ଜନସଂପର୍କ ଅଭିଯାନ ଚାଲିବ ।
‘ସଂପର୍କରୁ ସମର୍ଥନ’ ହେଉଛି ଏହି ଅଭିଯାନରେ ଉଦ୍ଦେଶ୍ୟ । ଏହି ଳକ୍ଷ୍ୟ ପୂରଣ ପାଇଁ ତଥା ଏହି ମହା ଜନସଂପର୍କ ଅଭିଯାନକୁ ସଫଳ କରିବାକୁ ରାଷ୍ଟ୍ରୀୟ ସ୍ତରରେ ୨୮୮ ଜଣ ବରିଷ୍ଠ ନେତୃତ୍ୱଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ସାମିଲ ଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଜୁନ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆସାମ ପ୍ରଦେଶ ଗସ୍ତରେ ଯିବେ ।
ଏହି ଅବସରରେ ଶ୍ରୀ ପଣ୍ଡା ୪ଟି ଲୋକସଭା ଅନ୍ତର୍ଗତ ଗୌହାଟୀ, କରିମଗଞ୍ଜ, ସିଲଚର୍ ଓ ଡ଼ିଫୁ ଠାରେ ପ୍ରବାସ କରିବା ସହ ୪ଟି ବିରାଟ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସମେତ ‘ସଂପର୍କରୁ ସମର୍ଥନ’ ଅଭିଯାନରେ ବିଭିନ୍ନ ପରିବାରକୁ ଭେଟିବା ସହ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଦଳୀୟ କାର୍ଯ୍ୟକ୍ରମରୁ ସୂଚନା ମିଳିଛି।
Comments are closed.