Latest Odisha News

BREAKING NEWS

ବାହାନଗା ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ସାହାଯ୍ଯ କରିବାକୁ ଚାହୁଁଛି ଠକ ସୁକେଶ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅଭିଭାବକ ହରାଇଥିବା ପିଲାଙ୍କୁ ଶିକ୍ଷା ଦିଗରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଠକ ସୁକେଶ ଚନ୍ଦ୍ରଶେଖର। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୧୦ କୋଟି ଟଙ୍କା ଗ୍ରହଣ କରିବାକୁ ଅନୁମତି ମାଗିଛନ୍ତି ସୁକେଶ।

ମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ସୁକେଶ କହିଛନ୍ତି ଯେ ଏହି ଅବଦାନ ତାଙ୍କ ବ୍ୟକ୍ତିଗତ ପାଣ୍ଠିରୁ ଆସିଛି, ଯାହା ତାଙ୍କର ରୋଜଗାରର “ବୈଧ ଉତ୍ସ” ଅଟେ। ଏବେ ବିଭିନ୍ନ ଠକେଇ ଅପରାଧିକ ମାମଲାର ସାମ୍ନା କରି ଜେଲରେ ଥିବା ସୁକେଶ କହିଛନ୍ତି ଯେ ଏହି ପାଣ୍ଠି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟବହାର କରାଯାଇପାରିବ।

ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧ ଛୁଇଁଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ରେଳବାଇର ସୁପାରିଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦୁର୍ଘଟଣାର ତଦନ୍ତ କରୁଛି।

ଟ୍ରେନ୍ ଦୁର୍ଘଟଣାକୁ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହି ସୁକେଶ କହିଛନ୍ତି ଯେ ଏହି ଦୁଃଖଦ ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ହତବାକ କରିଛି। ଯେହେତୁ ଆମ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଉଛନ୍ତି, ମୁଁ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ୧୦ କୋଟି ଟଙ୍କାର ଏହି ପାଣ୍ଠି ଯୋଗାଉଛି। ବିଶେଷ କରି ସେହି ପରିବାରର ପିଲାମାନଙ୍କ ପାଇଁ। ଯେଉଁମାନଙ୍କ ଅଭିଭାବକ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସୁକେଶ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କ ସଂଗଠନ ଶାରଦା ଫାଉଣ୍ଡେସନ, ଚନ୍ଦ୍ରଶେଖର କର୍କଟ ଫାଉଣ୍ଡେସନ, ଏଲଏସ ଶିକ୍ଷା ଦେଶର ଦକ୍ଷିଣ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛି।

ଉଲ୍ଲେଖଯୋଗ୍ୟ, ରାଜନେତା, ସେଲିବ୍ରିଟି ଏବଂ ବ୍ୟବସାୟୀଙ୍କଠାରୁ ସୁକେଶ ଚନ୍ଦ୍ରଶେଖର ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ସେ ପୂର୍ବତନ ଫାର୍ମା କମ୍ପାନୀ ରେନବାକ୍ସି ମାଲିକ ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତ୍ୟ ସିଂଙ୍କୁ ୨୦୦ କୋଟି ଟଙ୍କା ଠକେଇ କରିଛନ୍ତି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଏଥିପାଇଁ ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଉଭୟ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

Comments are closed.