କଟକ: ପରିତ୍ୟକ୍ତ ଅବସ୍ଥାରେ ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅନାଥ ଝିଅକୁ ମିଳିଲା ନୂଆ ପରିଚୟ। ଏବେ କଟକରୁ ଆମେରିକା ଯିବ ଏହି ଝିଅ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ଏହି ଅନାଥ ଝିଅକୁ ମିଳିଛି ନୂଆ ବାପା, ମା। ଚାରି ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାକୁ ଶୁକ୍ରବାର ଆମେରିକୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ନୂଆ ଜୀବନ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଡେଭିଡ୍ ବ୍ରାଏଣ୍ଟ ଓ ଆନ୍ନା ଏଲିଶ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ କଟକର ବସୁନ୍ଧରା ଚାଇଲ୍ଡ କେୟାର ହୋମ୍ରୁ ଝିଅଟିକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଶିଶୁଟିକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିବା ବାପା ମାଆଙ୍କୁ ହସ୍ତାନ୍ତର କରିଛନ୍ତି। ଆନ୍ନା ଓ ଡେଭିଡଙ୍କର ପୂର୍ବରୁ ତିନୋଟି ବାୟୋଲୋଜିକାଲ ଝିଅ ଅଛନ୍ତି ଏବଂ କଟକର ଏହି ଝିଅଟି ସେମାନଙ୍କ ପରିବାରରେ ଚତୁର୍ଥ ସନ୍ତାନ ହେବ।
ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଆନ୍ନା କହିଛନ୍ତି, ଆମେ ସମସ୍ତଙ୍କ ନିକଟରେ କୃତଜ୍ଞ। ଯେଉଁମାନେ ଆମକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ଆମେ ନିଜକୁ ବହୁତ ସମ୍ମାନିତ ଅନୁଭବ କରୁଛୁ। ଆମେ ଝିଅଟିକୁ ଭାରତ ଏବଂ ଏହାର ସଂସ୍କୃତି ବିଷୟରେ ଶିଖାଇବୁ।
ସେ କହିଛନ୍ତି, ପ୍ରତିଟି ଶିଶୁ ଆମ ପାଇଁ ସ୍ୱତନ୍ତ୍ର, ବିଶେଷ କରି ଯେଉଁମାନଙ୍କର ବିଶେଷ ଆବଶ୍ୟକତା ରହିଛି। ଆମେ ଝିଅଟିକୁ ସାଙ୍ଗରେ ନେଇ ଆମେରିକା ଯାଇ ଏକ ଭଲ ଜୀବନ ଦେବାକୁ ଚାହୁଁଛୁ। ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ଆମକୁ ମିଳିଥିବା ସମସ୍ତ ସହଯୋଗ ପାଇଁ ଆମେ କୃତଜ୍ଞ ବୋଲି ଡେଭିଡ୍ କହିଛନ୍ତି।
ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ସେ କଟକରୁ ଯାଇ ଆମେରିକାରେ ରହିବେ ଏବଂ ଭଲ ପାଠ ପଢ଼ିବ। ପୋଷ୍ୟ ପିତାମାତା ତାଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୋତେ ଆଶ୍ୱାସନା ଦେଇଛନ୍ତି। ମୁଁ ସୁନିଶ୍ଚିତ, ଏହି ଶିଶୁଟି ବଡ଼ ହୋଇ କଟକ ସହର ପାଇଁ ଗର୍ବର ବିଷୟ ହେବ।
ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୬ ତାରିଖରେ ଚନ୍ଦକା ଜଙ୍ଗଲରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ବୁଲା କୁକୁର କାମୁଡ଼ାରେ ତାଙ୍କ ମୁହଁର ୬୦ ପ୍ରତିଶତ ଅଂଶ ନଷ୍ଟ ହୋଇଯାଇଥିଲା। ଏସସିବିରେ ଦୁଇ ମାସ ଚିକିତ୍ସା ପରେ ତାକୁ ବସୁନ୍ଧରା ଚାଇଲ୍ଡ କେୟାର ହୋମରେ ରଖାଯାଇଥିଲା। ପରେ ତାକୁ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାମିଲନାଡୁର କୋଏମ୍ବାଟୁରକୁ ନିଆଯାଇଥିଲା।
Comments are closed.