ଯାଜପୁର: ଯେତେବେଳେ ଆପଣାର ମଣିଷମାନେ ପର କରିଦେଲେ ସେତେବେଳେ ନିଜର ଭାବି କୋଳେଇ ନେଇଥିଲେ ଏଇ ଅପରିଚିତମାନେ। ଏହି ସ୍ୱାଧାର ଗୃହକୁ ସେ ନିଜର ଘର ବୋଲି ଭାବି ନେଇଥିଲେ । ଆଜି ସେଇ ଘର ଛାଡି ଶାଶୂଘର ଯିବେ ପୂଜାରାଣୀ । ଜୀବନର ଆଉଏକ ସୋପାନ ଚଢିବେ । ପୁଣି ଏକ ନୂଆ ଘର ସଂସାର କରିବେ । ହେଲେ ଆଦର ସମ୍ମାନ ଦେଇ ତାଙ୍କୁ ଦିନେ ଆପଣାର କରିନେଇଥିବା ଏଇ ସ୍ୱାଧାର ଗୃ୍ହ ଛାଡିବାବେଳକୁ ତାଙ୍କ ଆଖି ଆଜି ଓଦା ହୋଇ ଯାଉଛି ।
୨୦୧୮ ମସିହାର କଥା । ଚଣ୍ଡିଖୋଲରେ ବୁଲୁଥିବା ଛୋଟ ଝିଅଟିକୁ ଉଦ୍ଧାର କରି ଯାଜପୁର ବାହବଳପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହରେ ଛାଡି ଥିଲା ସିଡବ୍ଲୁସି । ସେଦିନ ତାଙ୍କୁ ସ୍ବାଗତ କରିବାକୁ ଏଠି କେହି ନଥିଲେ । ହେଲେ ଆଜି ସେ ବିଦା ହେବା ବେଳେ ସମସ୍ତଙ୍କ ଆଖିରେ ଥିଲା ଲୁହ। ସାହି ପଡିଶା ଓ ଆପଣାର ଲୋକେ ସମସ୍ତେ ଏକାଠି । ସେଇ ଛୋଟ ଝିଅଟି ଆଜି ବଡ ହୋଇ ଶାଶୂ ଘରକୁ ଯିବ । ସ୍ୱାଧାର ଗୃହରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି ।
ବାଜିଥିଲା ଯୋଡି ମହୁରୀ । ବାଜିଥି ଲା ସହନାଇ। ଭୋଜିଭାତରେ ଭାସିଥିଲା ସ୍ୱାଧାର ଗୃହ । ସ୍ୱଧାର ଗୃହ ପାଲଟିଲା ବିବାହ ମଣ୍ଡପ। ପୂଜାରାଣୀଙ୍କ ବିବାହ କାର୍ଯ୍ୟରେ ଲାଗିଥିଲେ ସମସ୍ତେ। ସ୍ୱଧାର ଗୃହର ସମ୍ପାଦକ ପରେଶ ମଲ୍ଲିକ ବରପାତ୍ର ଖୋଜିବାଠାରୁ ଆରମ୍ଭ କରି ବିବାହ କାର୍ଯ୍ୟର ଆୟୋଜନ କରିଥିଲେ । ବିବାହ କାର୍ଯ୍ୟ ରେ ସାମିଲ ହୋଇଥିଲା ପୁରା ଜିଲ୍ଲା ପ୍ରଶାସନ।
ଦଶରଥପୁର ବ୍ଲକ ତଲିହା ପଂଚାୟତ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝାଙ୍କ ହାତ ଧରିଛନ୍ତି ପୂଜାରାଣୀ । ଆଖ ପାଖ ପଡୋଶୀ ମଧ୍ୟ ସାମିଲ ହୋଇ ଭୋଜିଭାତ ଖାଇବା ସହିତ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ରୋଟାରୀ କ୍ଲବ ଭଳି ଅନ୍ୟ ଅନୁଷ୍ଠାନ ମାନେ ମଧ୍ୟ ସହଯୋଗର ହାତ ବଢାଇଥିଲେ।
Comments are closed.