Latest Odisha News

କମ୍ପାନୀର ଅଜବ ନିୟମ: କାମ କରି ପାରୁ ନ ଥିବା କର୍ମଚାରୀ ଖାଇଲେ କଞ୍ଚା କଲରା

ଚୀନ୍‌: ଅନେକ କମ୍ପାନୀ ନିଜର ଉନ୍ନତି ନେଇ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଉ କିଛି କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବା ସହ ଦଣ୍ଡିତ ମଧ୍ୟ କରିଥାନ୍ତି । ଏବେ ସେମିତି ଏକ ଘଟଣା ଚୀନର ଏକ କମ୍ପାନୀରେ ଘଟିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଚୀନ୍‌ର ଜିଆଙ୍ଗସୁ ପ୍ରଦେଶରେ ରହିଛି ଶିକ୍ଷା ଏବଂ ତାଲିମ କମ୍ପାନୀ ‘ସୁଜୋ ଡାନାଓ ଫାଙ୍ଗଚେଙ୍ଗସି ସୂଚନା ପରାମର୍ଶ’ । କମ୍ପାନୀର କିଛି କର୍ମଚାରୀ ତାଙ୍କ କାମ ଠିକ୍ ଭାବେ ନ କରିବାରୁ କମ୍ପାନୀ ପକ୍ଷରୁ ସେମାନଙ୍କୁ ଦଣ୍ଡିତ କରାଯାଇଛି । କମ୍ପାନୀର ପ୍ରାୟ ଦଶଜଣ କର୍ମଚାରୀଙ୍କୁ ଦଣ୍ଡ ଭାବରେ କଞ୍ଚା କଲରା ଖାଇବାକୁ ଦିଅଯାଇଥିଲା । ଉକ୍ତ କର୍ମଚାରୀମାନେ ନିଜ ଚାକିରି ବଞ୍ଚାଇବାକୁ ଯାଇ ଇଛା ନ ଥିଲେ ବି କଞ୍ଚା କଲରା ଖାଇବାକୁ ବାଧ୍ୟ ହୋଇଥିଲେ । ଏହାର ଭିଡିଓ ଚାଇନାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଲା । ଏହି ଭିଡ଼ିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଉତ୍ତେଜିତ ହୋଇପଡ଼ିଲେ ।

ଯେତେବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଅଣାୟତ୍ତ ହେବାକୁ ଲାଗିଲା ସେତେବେଳେ ଉକ୍ତ କମ୍ପାନୀର ମୁଖପାତ୍ର ଗଣମାଧ୍ୟମ ସାମ୍ନାକୁ ଆସି ନିଜ ସ୍ପଷ୍ଟୀକରଣ ଦେବାକୁ ଲାଗିଲେ । ମୁଖପାତ୍ର କହିଥିଲେ ଯେ, କମ୍ପାନୀରେ କୌଣସି କର୍ମଚାରୀ ଭଲ କାମ କଲେ ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି କାମ ଠିକ୍ ଭାବେ ନ କଲେ ଦଣ୍ଡ ମିଳିଥାଏ ବୋଲି କମ୍ପାନୀ ନିୟମ କରିଛି ।

ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କମ୍ପାନୀ ଉକ୍ତ କର୍ମଚାରୀଙ୍କୁ ଏପରି ଅପମାନ କରିବା ଠିକ୍ ନୁହେଁ । କମ୍ପାନୀ ତାଙ୍କୁ ବରଖାସ୍ତ କରି ଦେଇଥିଲେ ଠିକ୍ ହୋଇଥାନ୍ତା ବୋଲି ଅନେକ କହିଛନ୍ତି । ସେହିପରି ଆଉ କିଛି ଲୋକ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ମତ ରଖିଛନ୍ତି ।

Comments are closed.