ଭୁବନେଶ୍ୱର: ଅନୁଗୁଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବାବେଳେ ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।
୨୦୨୪ ନିର୍ବାଚନ ପାଖେଇ ଆସୁଥିବାବେଳେ ମୁହାମୁହିଁ ହୋଇଛନ୍ତି ବିଜେଡି- ବିଜେପି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି ?’
ସେହିଭଳି କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଉନ୍ନତି ପାଇଁ ଆପଣ ୯
ବର୍ଷରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମହେଶ ସାହୁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ । ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି । ତାଳଚେର-ବିମଳାଗଡ
ରେଳପଥର ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳଷ୍ଟେସନ ଏବେ ବି ଗୁଡସ୍ ଷ୍ଟେସନ ହୋଇ ରହିଛି ।’
ସେହିପରି ଶିକ୍ଷା ମନ୍ତ୍ରୀ ଥିବାବେଳେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି ? ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ଢେଙ୍କାନାଳକୁ କେତୋଟି ପିଏସୟୁ ଆଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ ଏମସିଏଲ ଏବଂ ନାଲ୍କା ପାଇଁ ଜମି ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନହୋଇ ରହିଗଲା ବୋଲି ସେ କହିଛନ୍ତି ।
ନିଜ ଜନ୍ମସ୍ଥାନର ଉନ୍ନତି ନ କରି କେନ୍ଦ୍ର ମନ୍ତ୍ରୀ ଯେତେବେଳେ ନିର୍ବାଚନ ଆସେ, ସେତେବେଳେ ଏଠାକୁ ରାଜନୀତି
କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ
ମାଝି ଉପସ୍ଥିତ ଥିଲେ ।
Comments are closed.