ତ୍ରିପୁରାରେ ବାହୁଡା ଯାତ୍ରାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମ ବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ସୂଚନାଥାଉ କି, ବୁଧବାର ତ୍ରିପୁରାର ଉନାକୋଟି ଜିଲ୍ଲାରେ ବାହୁଡା ଯାତ୍ରା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଟାଣୁଥିବା ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହଠାତ ରଥରେ ନିଆଁ ଲାଗି ଯାଇଥିଲା । ଏଥିରେ ୧୫ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଏହି ବାହୁଡା ଯାତ୍ରା ଇସ୍କନ ମନ୍ଦିର ଦ୍ୱାରା ପରିଚାଳିତ ହେଉଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏହି ଘଟଣା ଘଟିଥିବା ସେମାନେ ଦାବି କରିଛନ୍ତି।
ପୋଲିସର କହିବା ଅନୁଯାୟୀ, ରଥକୁ ଟାଣିବା ବେଳେ ଏହାର ଉପରେ ଏକ ୧୩୩ କେ.ଭି ତାର ଯାଇଥିଲା। ଏହି ତାର କୌଣସି କାରଣରୁ ରଥ ସଂସ୍ପର୍ଶରେ ଆସିଥିଲା । ରଥର କିଛି ଅଂଶରେ ନିଆଁ ଲାଗିବା ମାତ୍ରେ ଲୋକମାନେ ରାସ୍ତା ଉପରେ ଟଳି ପଡିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସେମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ପୁଲିସ କହିଛି।
Comments are closed.